*ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୬ ତାରିଖ ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହେବା ସହ ୨୭, ୨୮ ଓ ୨୯ ତାରିଖରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପ୍ରଭାବ, ଝଡ଼ତୋଫାନ, ଭୂସ୍ଖଳନ ପ୍ରବଣ ଅଞ୍ଚଳର ସ୍ଥିତି, ଜଳ ନିଷ୍କାସନ ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଥା ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଜିଲ୍ଲା, ବ୍ଲକ୍ ଓ ତହସିଲ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିଶମ ବାହିନୀକୁ ଆବଶ୍ୟକ ସ୍ଥଳେ ତୁରନ୍ତ ମୁତୟନ ହେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜିଲ୍ଲାର ସାତଟି ବ୍ଲକ୍ରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ଯାଞ୍ଚ କରି ଆବଶ୍ୟକ ମରାମତି, ବିଦ୍ୟୁତ୍ ଓ ଜେନେରେଟର ବ୍ୟବସ୍ଥା, ପାନୀୟ ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଭୂସ୍ଖଳନ ପ୍ରବଣ ଅଞ୍ଚଳ, ପାହାଡ଼ ତଳେ ରହୁଥିବା ପରିବାର, ତଳିଆ ଅଞ୍ଚଳ ଏବଂ ଦୁର୍ବଳ କିମ୍ବା କଚ୍ଚା ଘରେ ବସବାସ କରୁଥିବା ଲୋକଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମା’ ଗୃହକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଚୁଡ଼ା, ଗୁଡ଼, ଚିନି, ମହମବତୀ, କିରୋସିନ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ରଖିବାକୁ କୁହାଯାଇଛି।ପ୍ରବଳ ବର୍ଷା ସମୟରେ ଜନସାଧାରଣ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବା ଏବଂ ନଦୀ, ନାଳ ଓ ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ବ୍ଲକ୍, ଗ୍ରାମପଞ୍ଚାୟତ ଓ ଗ୍ରାମସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ସୁଶ୍ରୀ ଭାଗବତ ସାମଲ କଲ୍ୟାଣରାଓ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିନାୟକ ରାଉଳଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।
