*ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମହିଳା ଅଟକ*।
ଗଜପତି,୨୦.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନ୍ସପେକ୍ଟର ବୁବୁନ ବେହେରା, ନିଳାମ୍ବର ନାୟକ, ମିନତି ପାଇକଙ୍କ ସମେତ ଅବକାରୀ ଦଳ ଅତର୍କିତ ଚଢ଼ାଉ କରି ବସରେ ଯିବା ପାଇଁ ଅପେକ୍ଷା କରିଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଲୁପଦର ଅଞ୍ଚଳର ପ୍ରିୟଙ୍କା ଦିଗାଲ ନାମକ ଜଣେ ମହିଳାଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।
ଉକ୍ତ ମହିଳାଙ୍କ ନିକଟରୁ ୮ କିଲୋଗ୍ରାମ ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ତାହାର ବଜାର ମୂଲ୍ୟ ୧୦ ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଗଜପତି ଜିଲ୍ଲାର ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଏବଂ ଏହାର ଚୋରା ଚାଲାଣକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି। ଦୁର୍ଗମ ଅଞ୍ଚଳ ଓ ଜଙ୍ଗଲ ରାସ୍ତା ଦେଇ ନିଶାଦ୍ରବ୍ୟ ପରିବହନ ହେବାର ଆଶଙ୍କା ଥିବାରୁ ଏଭଳି କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ଓ ପୁଲିସର ନିୟମିତ ଯାଞ୍ଚ ଏବଂ ଚଢ଼ାଉର ଆବଶ୍ୟକତା ରହିଛି।
