ଗୋଷାଣି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ।

ଗୋଷାଣି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ।

*ଗୋଷାଣି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଉପଲଡ଼ାସ୍ଥିତ ଟାଗୋର ସ୍ମୃତି ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାର ଓ ଓପେପାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ଓ ଦକ୍ଷତାର ପରିଚୟ ଦେଇଥିଲେ।ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷାଣି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ମନୋନୀତ ହୋଇ ଆସିଥିବା କୃତୀ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ।ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ‘ସୁରଭି’ ଭଳି ଶିଶୁ ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ, ସୃଜନଶୀଳତା ଓ ନିଜସ୍ୱ ପ୍ରତିଭାର ବିକାଶରେ ସହାୟକ ହୋଇଥାଏ ବୋଲି ଉଲ୍ଲେଖ କରିଥିଲେ।ଅପରାହ୍ନରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ୱାଇ. ଧର୍ମାରାଓଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ୍. ବୀରରାଜୁ ଏବଂ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଏସ୍. ବାଲାରାଜୁ, ସମ୍ମାନୀତ ଅତିଥି ଭାବେ ଉପଲଡ଼ା ସମିତି ସଭ୍ୟ ଶ୍ରୀ ବି. ଧନଞ୍ଜୟ, ଗୋଷାଣି ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଡି. ଯାଦବ ରାଓ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏନ୍. ବିମଳ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ ପରିବେଷଣ ଉତ୍ସବକୁ ଆକର୍ଷଣୀୟ କରିଥିଲା। ଗୁରାଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ସସ୍ମିତା କୁମାରୀ ଜେନା ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।