ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

*ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।*

ଗଜପତି, ୧୯.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ବକ୍ସି ସାହିରେ ଅବସ୍ଥିତ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ସଭାପତି ଲକ୍ଷ୍ମୀ ନୃସିଂହ ରଥଙ୍କ ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ହରିମୋହନ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ମୌଳିକ ସମସ୍ୟା ଓ ଜନସାଧାରଣଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ନିମନ୍ତେ ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ବୈଠକରେ ମୁଖ୍ୟତଃ ତିନୋଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।ପ୍ରଥମତଃ, ପାରଳାଖେମୁଣ୍ଡି ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ଏବଂ ଜନସାଧାରଣଙ୍କ ଯାତାୟାତକୁ ସୁଗମ କରିବା ନିମନ୍ତେ ସହରରେ ଏକ ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷାଳୟ ନିର୍ମାଣ ସମ୍ପର୍କରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଦ୍ୱିତୀୟତଃ, ସହରରେ ଥିବା ବିଭିନ୍ନ ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ବିଶ୍ରାମ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଦାବି ଉପସ୍ଥାପନ କରିବାକୁ ଆଲୋଚନା ହୋଇଥିଲା।ତୃତୀୟତଃ, ପାରଳାଖେମୁଣ୍ଡି ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଶୌଚାଳୟ ଓ ପରିସ୍ରାଗାର ନିର୍ମାଣ କରିବା ସହ ଏହାର ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ପଦକ୍ଷେପ ନେବାକୁ ଦାବି କରାଯିବା ପାଇଁ ମତ ପ୍ରକାଶ ପାଇଥିଲା।ଏହି ବୈଠକରେ ସଭାପତି, ସାଧାରଣ ସମ୍ପାଦକ, ସାଂଗଠନିକ ସମ୍ପାଦକ, ଯୁଗ୍ମ ସମ୍ପାଦକ ଏବଂ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଉପସ୍ଥିତ ସଦସ୍ୟମାନଙ୍କୁ ସଙ୍ଗଠନ ସମ୍ପାଦକ ବିନୋଦ ବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।