ବାଜି ରାଉତଙ୍କ ବଳିଦାନ ଦିବସରେ ବଂଶଧାରା ସାହିତ୍ୟ ସମାଜର ଆଭାସୀ ଆଲୋଚନାଚକ୍ର ଯୁବପିଢ଼ି ବାଜି ରାଉତଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ
ରାୟଗଡ ( Info media)ଅମର ଶହୀଦ ବାଜି ରାଉତଙ୍କ ଅଦମ୍ୟ ସାହସ, ଅତୁଳନୀୟ ଦେଶପ୍ରେମ ଓ ମହାନ ଆତ୍ମବଳିଦାନକୁ ସ୍ମରଣ କରି ଗୁଣପୁରର ବଂଶଧାରା ସାହିତ୍ୟ ସମାଜ ପକ୍ଷରୁ ଦ୍ୱିତୀୟ ଆଭାସୀ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଅକ୍ଷୟ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବାଜି ରାଉତଙ୍କ ଜୀବନାଦର୍ଶ, ଦେଶପ୍ରେମ ଓ ବଳିଦାନର ଐତିହାସିକ ମହତ୍ତ୍ୱ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାମୂହିକ ଭାବେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ସାହିତ୍ୟ ସମାଜର ସଭାପତି ସୀମାଞ୍ଚଳ କର ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ରମେଶ ମିଶ୍ର ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଭୁବନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସମିତିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶ୍ଦିଲ୍ଲୀପ କୁମାର ଦାସ ଏବଂ ଆଲୋଚିକା ଭାବେ କଟକ ଜିଲ୍ଲାର ନିଆଳି ମହାବିଦ୍ୟାଳୟର ଅଧ୍ୟାପିକା ପୁଷ୍ପଲତା ନାୟକ ଯୋଗଦେଇ ବାଜି ରାଉତଙ୍କ ଅସାଧାରଣ ବୀରତ୍ୱ ଓ ଦେଶ ପାଇଁ ତାଙ୍କର ସର୍ବୋଚ୍ଚ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଅତି କମ୍ ବୟସରେ ବାଜି ରାଉତ ନିଜର ଦୃଢ଼ ମନୋବଳ, ସାହସ ଓ ଦେଶପ୍ରେମର ପରିଚୟ ଦେଇ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ହୋଇ ରହିଛନ୍ତି। ତାଙ୍କର ବଳିଦାନ କେବଳ ଅତୀତର ଏକ ଐତିହାସିକ ଘଟଣା ନୁହେଁ; ଏହା ଆଜିର ଯୁବସମାଜ ପାଇଁ ମଧ୍ୟ ଏକ ମହାନ ପ୍ରେରଣା। ବର୍ତ୍ତମାନର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମ, ନୈତିକତା, କର୍ତ୍ତବ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧକୁ ନିଜ ଜୀବନରେ ଅଙ୍ଗୀକାର କରିବା ଉଚିତ ବୋଲି ସେମାନେ ମତପ୍ରକାଶ କରିଥିଲେ।ସମୀକ୍ଷକ ଭାବେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ତଥା ଓଡ଼ିଆ ସାହିତ୍ୟ ଏକାଡେମୀର ସଦସ୍ୟ ସୁଶାନ୍ତ ନାୟକ ଯୋଗଦେଇ ଆଲୋଚନାର ବିଭିନ୍ନ ଦିଗକୁ ସାରଗର୍ଭକ ଭାବେ ସମୀକ୍ଷା କରିଥିଲେ। ଅଧ୍ୟାପକ ଶେଷସାୟୀ ସେନାପତି କାର୍ଯ୍ୟକ୍ରମର ସଂଯୋଜନା ଓ ସୁପରିଚାଳନା କରିଥିବାବେଳେ ସାହିତ୍ୟ ସମାଜର ସହସମ୍ପାଦକ ଉମାଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆଲୋଚନାଚକ୍ରରେ ସାହିତ୍ୟ ସମାଜର ଉପଦେଷ୍ଟା ଡ. ପ୍ରାଣକୃଷ୍ଣ ପାଣିଗ୍ରାହୀ, କବି ଅଶ୍ୱିନୀ ତ୍ରିପାଠୀ, ରମେଶ ଲିମା, ଦୀପକ କୁମାର ପଣ୍ଡାଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରି ଅମର ଶହୀଦ ବାଜି ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ବାଜି ରାଉତଙ୍କ ଜୀବନ ଓ ବଳିଦାନ ଆମକୁ ଦେଶ ଓ ସମାଜ ପ୍ରତି ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଏ। ତାଙ୍କ ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପ୍ରସାର କରିବା ଏବଂ ଦେଶପ୍ରେମର ଚେତନାକୁ ଉଜ୍ଜୀବିତ ରଖିବା ଦିଗରେ ଏଭଳି ସାହିତ୍ୟଭିତ୍ତିକ ଆଲୋଚନାଚକ୍ରର ଗୁରୁତ୍ୱ ଅତ୍ୟନ୍ତ ଅଧିକ ବୋଲି ମତ ପ୍ରକାଶ ପାଇଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
