*ନୂତନ ଭାବେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରବନ୍ଧକୁ ଭକ୍ତଙ୍କ ଭବ୍ୟ ସ୍ୱାଗତ ।
ଗଜପତି,୧୨.୯(ମନୋଜ ପାଢ଼ୀ) :- ପାରଳାଖେମୁଣ୍ଡିରେ ନୂତନ ଭାବେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରବନ୍ଧ ଆଜି ମନ୍ଦିର ପରିସରରେ ପହଞ୍ଚିଛି। ଏହି ଅବସରରେ ଜଗନ୍ନାଥଙ୍କ ଜୟଜୟକାର, ଶଙ୍ଖନାଦ, ହରିବୋଲ ଓ କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଇ ଉଠିଥିଲା।ସୁଦୂର ହରିୟାଣାରୁ ଆବଶ୍ୟକ ସାମଗ୍ରୀ ଅଣାଯାଇ କଟକରେ ନିର୍ମାଣ କରାଯାଇଥିବା ଏହି ଚାରି ଦ୍ୱାରବନ୍ଧକୁ ଜିଲ୍ଲାର ପ୍ରବେଶପଥ ଲାବଣ୍ୟଗଡ଼ଠାରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଭବ୍ୟ ସ୍ୱାଗତ କରିଥିଲେ। ସଂକୀର୍ତ୍ତନ, ପୂଜାର୍ଚ୍ଚନା ଓ ବନ୍ଦାପନା ମଧ୍ୟରେ ଦ୍ୱାରବନ୍ଧଗୁଡ଼ିକୁ ମନ୍ଦିର ପରିସରକୁ ନିଆଯାଇଥିଲା।ଦ୍ୱାରବନ୍ଧଗୁଡ଼ିକର ଯାତ୍ରାପଥରେ ଗାରାବନ୍ଧ, ଗୋଷାଣୀ, ଗୁରାଣ୍ଡି, ସାତମାଇଲ ସମେତ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଜନସାଧାରଣ ଭକ୍ତିଭାବରେ ସ୍ୱାଗତ ଜଣାଇଥିଲେ।ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନେକ କୀର୍ତ୍ତି ଓ ଐତିହ୍ୟ ସହ ଜଡ଼ିତ ପାରଳାଖେମୁଣ୍ଡିର ଏହି ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ରୂପରେ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଜାରି ରହିଛି। ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖ କେବେ ସାକାର ହେବ, ତାହାକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।ଏହି ଚାରିଗୋଟି ଦ୍ୱାରବନ୍ଧର ନିର୍ମାଣ ଓ ସ୍ଥାପନା ପାଇଁ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବିଧାୟକ ରୂପେଶ ପାଣିଗ୍ରାହୀ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ସମସ୍ତ କାର୍ଯ୍ୟକ୍ରମ ଜଗନ୍ନାଥ ସେବା ଦଳର ମୁଖ୍ୟ ଶ୍ରୀ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।
