*ଆଭାସୀ ମାଧ୍ୟମରେ ସରକାରୀ ଓକିଲଙ୍କର ସମନ୍ୱୟ ବୈଠକ ଓ ମାମଲାର ସଠିକ ପରିଚାଳନା ସହ ଦଣ୍ଡାଦେଶ ବୃଦ୍ଧିକୁ ଗୁରୁତ୍ୱ*
ଗଜପତି, ୯.୯(ମନୋଜ ପାଢୀ ) -ଗଜପତି ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକ ତଥା ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମୁଖ୍ୟାଳୟରେ ସ୍ଥିତ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟରେ ଗଜପତି ଜିଲ୍ଲାର ସମସ୍ତ ପ୍ରସିକ୍ୟୁଟରଙ୍କୁ ନେଇ ଆଜି ଭର୍ଚ୍ୟୁଆଲ (ଆଭାସୀ) ମାଧ୍ୟମରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ନ୍ୟାୟାଳୟର ସମସ୍ତ ପ୍ରସିକ୍ୟୁଟର ତଥା ମୋହନା ନ୍ୟାୟାଳୟର ସରକାରୀ ଓକିଲ ସୁଶାନ୍ତ ମଲ୍ଲିକ ଓ ଆର. ଉଦୟଗିରି ନ୍ୟାୟାଳୟର ସରକାରୀ ଓକିଲ ଦୁର୍ଯ୍ୟୋଧନ କରାଡ ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ମୁଖ୍ୟତଃ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି ବିଚ୍ୟୁତିକୁ କିପରି ସଂଶୋଧନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ସହିତ ଜନସାଧାରଣଙ୍କ ନିକଟତର ହୋଇ କିପରି ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ ସେହି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ସର୍ବ ପ୍ରଥମେ ଯୁଗ୍ମ ନିର୍ଦ୍ଦେଶକ ଅଜିତ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୈଠକରେ ବିଭିନ୍ନ ସଙ୍ଗୀନ ମାମଲାରେ ଅଭିଯୋଜକମାନେ ନ୍ୟାୟାଳୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଏହି ପ୍ରସଙ୍ଗରେ ବିଶେଷ ଭାବେ ମାନ୍ୟବର ସୁପ୍ରିମକୋର୍ଟଙ୍କର ବିଭିନ୍ନ ଦିଶା ନିର୍ଦ୍ଦେଶ ଉପରେ ମଧ୍ୟ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ସେହିପରି ପୋକ୍ସୋ ମାମଲା ଓ ଗଞ୍ଜେଇ ଚାଲାଣ ମାମଲାରେ କିପରି ଦଣ୍ଡ ବିଧାନ କରାଯାଇ ଦୋଷୀଙ୍କୁ ଦଣ୍ଡିତ କରାଯାଇପାରିବ ସେ ସମ୍ପର୍କରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ. ପୃଥ୍ବୀରାଜ ଓ କେ. ତାତେୟା ନିଜର ମତ ରଖିଥିଲେ। ସର୍ବଶେଷରେ ଏହି ବୈଠକର ସଫଳ ଆୟୋଜନ ନିମନ୍ତେ ସହାୟକ ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
