*ପୁରୀରେ ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କର ପରିଚୟ ମିଳିଲା।*
ଗଜପତି(ମନୋଜ ପାଢ଼ୀ) :-ପୁରୀ ସହରର କୁମ୍ଭାରପଡ଼ା ଥାନା ଅଞ୍ଚଳରେ ମାଆକୁ ହତ୍ୟା କରି ରୋଷେଇ ଘରର ସ୍ଥାବ ତଳେ ପୋତି ଦେଇଥିବା ମୃତ ମହିଳାଙ୍କର ପରିଚୟ ମିଳିଥିବା ନେଇ ପୁରୀ ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଘଟଣାରୁ ଜଣାପଡିଛି ଯେ ମୃତକ ଜଣକ ହେଉଛନ୍ତି ଅନ୍ନପୂର୍ଣ୍ଣା ଦଳେଇ ଏବଂ ତାଙ୍କର ନିଜ ଗ୍ରାମ ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମରେ ବୋଲି ଜଣାପଡ଼ିବା ପରେ ଏହି ଘଟଣାକୁ ନେଇ ଏବେ ଖାରଡ଼ା ସମେତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।ଏକଦା ଖାରଡ଼ା ଗ୍ରାମରେ ରହୁଥିବା ଅନ୍ନପୂର୍ଣ୍ଣା ଦୀର୍ଘ ପ୍ରାୟ ୩୦ ବର୍ଷ ତଳେ ଗ୍ରାମ ଛାଡ଼ି ଚାଲିଯିବା ସହ ସେ ନିଜ ଘର ଓ ଜମିବାଡ଼ି ବିକ୍ରି କରି ଚାଲିଯାଇଥିବା ସରପଞ୍ଚ ଅଖିଳ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।ଦୀର୍ଘ ବର୍ଷ ଧରି ଅନ୍ନପୂର୍ଣ୍ଣାଙ୍କ ସହିତ ଗ୍ରାମବାସୀଙ୍କ ଯୋଗାଯୋଗ ନ ଥିବା ବେଳେ ପୋଲିସ ଗ୍ରାମରେ ପହଞ୍ଚି ମୃତ ଅନ୍ନପୂର୍ଣ୍ଣାଙ୍କ ସମ୍ପର୍କୀୟ ଓ ପରିଚିତ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିଛି।ମୃତଦେହ ଚିହ୍ନଟ ପାଇଁ ଖାରଡ଼ା ଗ୍ରାମର ତାଙ୍କ ପୁତୁରାଙ୍କୁ ପୁରୀ ଘଟଣାସ୍ଥଳକୁ ନିଆଯାଇଥିଲା।ଅନ୍ନପୂର୍ଣ୍ଣାଙ୍କ ପୁତୁରା ତଥା ଖାରଡ଼ା ଗ୍ରାମବାସୀ କାଳୁ ଦଳେଇ କହନ୍ତି, ଅନ୍ନପୂର୍ଣ୍ଣା ତାଙ୍କ ବଡ଼ମାଆ ଥିଲେ। ପ୍ରାୟ ୩୦ ବର୍ଷ ତଳେ ସେ ଗ୍ରାମ ଛାଡ଼ି ଚାଲିଯାଇଥିଲେ।ଅନ୍ୟପକ୍ଷରେ ପୁରୀ ଏସ୍ପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ଘର ମାଲିକଙ୍କ ଖବର ଅନୁସାରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ରୋଷେଇ ଘରୁ ପୋତାଯାଇଥିବା ଅବସ୍ଥାରେ ଖୋଳି ବାହାର କରି ଜବତ କରିଥିଲା। ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ପୁଅ ମଦନ ଦଳେଇ ଏବେ ଫେରାର ରହିଥିବା ଜଣାପଡିଛି। ତାଙ୍କୁ ଧରିବା ପାଇଁ ପୁରୀ ସିଟି ଡିଏସ୍ପିଙ୍କ ନେତୃତ୍ବରେ ଏକାଧିକ ସ୍ବତନ୍ତ୍ର ଟିମ୍ ଗଠିତ ହୋଇ ତଦନ୍ତ ଜାରି ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୪ରେ କୁମ୍ଭାରପଡ଼ା ଅଞ୍ଚଳର ଏକ ଭଡ଼ାଘରୁ ଦୁର୍ଗନ୍ଧ ବାହାରିବା ପରେ ଘର ମାଲିକଙ୍କ ସନ୍ଦେହ ହୋଇଥିଲା। ସୂଚନା ପାଇ ପୋଲିସ ପହଞ୍ଚି ରୋଷେଇ ଘରର ସ୍ଲାବ ତଳୁ ମହିଳାଙ୍କ ମୃତଦେହ ଜବତ କରିଥିଲା।
