*6 ବର୍ଷ ପରେ ବି ଅଚଳ ଗ୍ରୀଡ଼ ଉପକେନ୍ଦ୍ର ।
ଗଜପତି,୧.୯(ମନୋଜ କୁମାର ପାଢୀ)-: ଲୋକଙ୍କୁ ନିରବଚ୍ଛିନ୍ନ ଓ ଉନ୍ନତ ବିଦ୍ୟୁତ୍ ସେବା ଯୋଗାଇବା ଲକ୍ଷ୍ୟରେ ନିର୍ମିତ ରା.ଉଦୟଗିରି ୧୩୨/୩୩ କେଭି ଗ୍ରୀଡ୍ ଉପକେନ୍ଦ୍ର ଦୀର୍ଘ ୬ ବର୍ଷ ପରେ ବି ସମ୍ପୂର୍ଣ୍ଣ ଭାବେ ଲୋକଙ୍କ କାମରେ ଲାଗିପାରିନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୋଟି କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ନିର୍ମାଣ ହୋଇଥିଲେ ମଧ୍ୟ ଏହାର ସୁଫଳ ମିଳୁନଥିବାରୁ ପ୍ରକଳ୍ପର ବିଳମ୍ବକୁ ନେଇ ଏବେ ପ୍ରଶ୍ନ ଉଠିଛି।ଓଡ଼ିଶା ବିଦ୍ୟୁତ୍ ପ୍ରେଷଣ ନିଗମ ଲିମିଟେଡ୍ (ଓପିଟିସିଏଲ୍) ପକ୍ଷରୁ ରା.ଉଦୟଗିରି ବ୍ଲକ ଛେଳିଗଡ ସ୍ଥିତ ଭାଲିଆସାହି ଠାରେ ୨×୨୦ ଏମ୍ଭିଏ କ୍ଷମତାର ୧୩୨/୩୩ କେଭି ଗ୍ରୀଡ୍ ଉପକେନ୍ଦ୍ର ସହ ୩୬.୧୪୦ କିମି ଦୀର୍ଘ ୧୩୨ କେଭି ବିଦ୍ୟୁତ୍ ସଞ୍ଚାରଣ ଲାଇନ୍ ନିର୍ମାଣର ଯୋଜନା ରହିଛି। ତେବେ ଉପକେନ୍ଦ୍ର ନିର୍ମାଣ ପରେ ମଧ୍ୟ ସଞ୍ଚାରଣ ଲାଇନ୍ ସମ୍ପର୍କିତ ସମସ୍ୟା ଯୋଗୁଁ ପ୍ରକଳ୍ପଟି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇପାରିନଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ, ଉକ୍ତ ସଞ୍ଚାରଣ ଲାଇନ୍ ପାଇଁ ଜଙ୍ଗଲ ଜମି ବ୍ୟବହାର ସମ୍ପର୍କିତ ଅନୁମତିର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ ସହ ପ୍ରାୟ ୧୪.୦୧୯ ହେକ୍ଟର ଜଙ୍ଗଲ ଜମି ସମ୍ପୃକ୍ତ ଥିବା ସରକାରୀ ରେକର୍ଡରୁ ଜଣାପଡ଼ୁଛି। ଏହାକୁ ନେଇ ୨୦୧୭ ମସିହାରୁ ଅନୁମତି ପ୍ରକ୍ରିୟା ଚାଲିଆସୁଥିବା ଜଣାପଡ଼ିଛି। ତେବେ ଏତେ ବର୍ଷ ଧରି ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହେବା ପଛରେ ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ହୋଇନାହିଁ। ଜଙ୍ଗଲ ଜମି ସମ୍ପର୍କିତ ଅନୁମତି ନା ଅନ୍ୟ କୌଣସି ପ୍ରଶାସନିକ କିମ୍ବା ବୈଷୟିକ ସମସ୍ୟା ପାଇଁ ପ୍ରକଳ୍ପ ଅଟକିଛି, ତାହା ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି l ଆର.ଉଦୟଗିରି ସମେତ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସେବାକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ରହିଆସିଛି। ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟା ଯୋଗୁଁ ଉପଭୋକ୍ତାମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ନୂତନ ଗ୍ରୀଡ୍ ଉପକେନ୍ଦ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ବିଦ୍ୟୁତ୍ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ଆଶା ରହିଛି। କେବେ ଚାଲୁ ହେବ? ପ୍ରକଳ୍ପର ବିଳମ୍ବକୁ ନେଇ ଏବେ ଜିଲ୍ଲା ପ୍ରଶାସନ, ଓପିଟିସିଏଲ୍ ଓ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନ ଉଠିଛି l ଜଙ୍ଗଲ ଜମି ସମ୍ପର୍କିତ ସମସ୍ତ ଅନୁମତି ମିଳିଛି କି? ଯଦି ମିଳିଛି, ତେବେ ଏହାକୁ କାର୍ଯ୍ୟକ୍ଷମ କରିବାରେ ଆଉ କେଉଁ ସମସ୍ୟା ରହିଛି? ଏବଂ କେବେ ସୁଦ୍ଧା ଗ୍ରୀଡ୍ ଉପକେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ ଚାଲୁ ହେବ—ଏହାର ସ୍ପଷ୍ଟ ଉତ୍ତର ଜନସାଧାରଣ ଅପେକ୍ଷା କରିଛନ୍ତି।
