ରାୟଗଡରେ ଉତ୍କଳ ସାମ୍ବାଦିକ ସଂଘର ସପ୍ତମ ବାର୍ଷିକ ଉତ୍ସବ
ରାୟଗଡ(info media): ଉତ୍କଳ ସାମ୍ବାଦିକ ସଂଘ ରାୟଗଡ ଶାଖାର ସପ୍ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାୟଗଡ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜାତୀୟ ପେସାଦାର ପତ୍ରକାର ମହାସଂଘର ଉପାଧ୍ୟକ୍ଷ ହେମନ୍ତ ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଜାତୀୟ ପେସାଦାର ପତ୍ରକାର ମହାସଂଘର ସାଧାରଣ ସମ୍ପାଦକ ସିଦ୍ଧାର୍ଥ କଲହଂସ ଯୋଗଦେଇଥିବା ବେଳେ ଉତ୍ସବରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ କରିଥିଲେ।ଏହି ଅବସରରେ ବୃତ୍ତିଗତ ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ସହ ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ପ୍ରଶାସନର ସହଯୋଗରେ ସମସ୍ତ ସାମ୍ବାଦିକ ଆଗେଇ ଆସିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବାର୍ଷିକ ଉତ୍ସବ ଅବସରରେ ‘ସାମାଜିକ ବିକାଶରେ ଗଣମାଧ୍ୟମର ଭୂମିକା’ ଉପରେ ଆଲୋଚନା ହୋଇଥିଲା।ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ କିପରି ସୁରକ୍ଷା ସହ ପେନ୍ସନ୍ ପାଇପାରିବେ, ସେନେଇ ରାଜ୍ୟ ସଂଘ ସରକାରଙ୍କ ସହ ଆଲୋଚନା ଜାରି ରଖିଛି ବୋଲି ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଥିଲେ। ସେହିପରି ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହାକୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଅବଦାନ ରଖିଥିବା ଡାକ୍ତର ପ୍ରେମ କୁମାର, ଶିକ୍ଷୟିତ୍ରୀ ରଶ୍ମିତା ହୋତା, ତରଙ୍ଗିନୀ ଶବର ଓ ବରିଷ୍ଠ ସାମ୍ବାଦିକ ମାଉଡି ବାରିକଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପୂର୍ବରୁ କୁନି କୁନି କଳାକାରମାନେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲେ। ରାୟଗଡ ଜିଲ୍ଲା ଶାଖାର ନୂତନ ସଭାପତି ଭାବେ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ସଂଘ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
