ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସଚେତନତା କାର୍ଯ୍ୟକ୍ରମ ।
ଗଜପତି,୧୮.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସନ୍ନିକଟ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଇବର ଠକେଇ, ଫିସିଂ, ଅନଲାଇନ୍ ହାରାସମେଣ୍ଟ, ସାଇବର ବୁଲିଂ, ପରିଚୟ ଚୋରି, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର, ଓଟିପି ଓ ବ୍ୟକ୍ତିଗତ ତଥ୍ୟ କାହା ସହିତ ଅନାବଶ୍ୟକ ଭାବେ ଅଂଶୀଦାର ନକରିବା ଏବଂ ସନ୍ଦେହଜନକ ଲିଙ୍କ୍ ଓ ବାର୍ତ୍ତା ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ଓ ଡିଜିଟାଲ୍ ନାଗରିକତା ସମ୍ପର୍କରେ ସଚେତନତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ। ବିଦ୍ୟାଳୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଦାୟିତ୍ୱଶୀଳ ଓ ସୁରକ୍ଷିତ ଡିଜିଟାଲ୍ ଅଭ୍ୟାସ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ମତ ରଖିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ନିଜର ଅନୁଭୂତି ଆଦାନ-ପ୍ରଦାନ କରିଥିଲେ। ଶେଷରେ ସୁରକ୍ଷିତ ଡିଜିଟାଲ୍ ଜୀବନ ପାଇଁ ସଚେତନ ଓ ଦାୟିତ୍ୱଶୀଳ ହେବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। ଜାତୀୟ ସେବା ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ବିନୋଦ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ |
