ଦୁତୀମେଣ୍ଡି ଅଞ୍ଚଳରେ ବିଏସ୍ଏନ୍ଏଲ୍ ନେଟୱାର୍କ ଅଚଳ…
କନ୍ଧମାଳ : ୦୮/୦୮(ରିପୋର୍ଟ କୁନା ଦିଗାଲ ):- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅନ୍ତର୍ଗତ ଦୁତୀମେଣ୍ଡି ରେ ଗତ ଦୁଇ ଦିନ ଧରି ବିଏସ୍ଏନ୍ଏଲ୍ ମୋବାଇଲ୍ ନେଟୱାର୍କ ସେବା ଠପ୍ ହୋଇପଡ଼ିଥିବା ରୁ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନେଟୱାର୍କ ନଥିବାରୁ ବିଶେଷକରି ରାସନ ବଣ୍ଟନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ରାସନ ନେବା ପାଇଁ ଦୂରଦୂରାନ୍ତର ରୁ ଆସୁଥିବା ହିତାଧିକାରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ ହେଉଛି। ନେଟୱାର୍କ ନଥିବାରୁ ରାସନ ବଣ୍ଟନ ପାଇଁ ବ୍ୟବହୃତ ଅନଲାଇନ୍ ଯନ୍ତ୍ର କାମ କରୁନାହିଁ, ଫଳରେ ଗରିବ ଓ ଆବଶ୍ୟକତା ହିତାଧିକାରୀମାନେ ଅସୁବିଧାରେ ପଡ଼ୁଛନ୍ତି।
ଏପଟେ ବର୍ତ୍ତମାନ ବିଲରେ ଧାନ ରୋଇବାର ସମୟ। ନେଟୱାର୍କ ଅସୁବିଧା ଯୋଗୁଁ ଯନ୍ତ୍ର ଚାଲୁ ନଥିବାରୁ ଲୋକଙ୍କ ଦୈନନ୍ଦିନ କାମ ମଧ୍ୟ ପ୍ରଭାବିତ ହେଉଛି। ଚାଷୀମାନେ କହୁଛନ୍ତି, “ଦୁଇ ଦିନ ହେଲା ବିଲରେ ପଟା ଦେଇ ରଖିଛୁ, ନେଟୱାର୍କ ଓ ଯନ୍ତ୍ର କେବେ ଚାଲିବ, କେବେ ଧାନ ରୋଇବୁ?”
କେବଳ ରାସନ ବଣ୍ଟନ ନୁହେଁ, ନେଟୱାର୍କ ସେବା ବ୍ୟାହତ ହେବା ଯୋଗୁଁ ବିଭିନ୍ନ ଅନଲାଇନ୍ କାର୍ଯ୍ୟ, ଡିଜିଟାଲ୍ ସେବା ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।
ଅନ୍ୟପକ୍ଷରେ, ଖଜୁରୀପଡ଼ା ଅଞ୍ଚଳରେ ଏପର୍ଯ୍ୟନ୍ତ ଜିଓ ୫ଜି ସେବା ଉପଲବ୍ଧ ନଥିବା ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଅଞ୍ଚଳବାସୀଙ୍କ ଦାବି, ଦୁତୀମେଣ୍ଡି ରେ ନିରବିଚ୍ଛିନ୍ନ ଓ ଉନ୍ନତ ମୋବାଇଲ୍ ନେଟୱାର୍କ ସେବା ଯୋଗାଇଦେବା ସହ ତୁରନ୍ତ ବିଏସ୍ଏନ୍ଏଲ୍ ନେଟୱାର୍କ ସମସ୍ୟାର ସମାଧାନ କରାଯାଉ। ନେଟୱାର୍କ ଠିକ୍ ହେବ କେବେ? ରାସନ ପାଇଁ ହିତାଧିକାରୀ ଆଉ କେତେ ଦିନ ହନ୍ତସନ୍ତ ହେବେ? ଚାଷୀଙ୍କ ଜରୁରୀ କାମ ପ୍ରଭାବିତ ହେଲେ ଦାୟିତ୍ୱ ନେବ କିଏ ?ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ନେଟୱାର୍କ ସେବା ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
