326 ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

326 ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

326 ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ରାୟଗଡ(info media): 326 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ମୁକୁନ୍ଦପୁର ହାଟପଦା ଠାରୁ କୈଳାଶପୁର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଜମି ଚିହ୍ନଟ ଓ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ରାଜସ୍ୱ ବିଭାଗ ଏବଂ ସର୍ଭେ ଟିମ୍‌ର ଅଧିକାରୀମାନେ ମିଳିତ ଭାବେ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଜମିର ମାପଚୁପ କରିବା ସହ ଅଧିଗ୍ରହଣଯୋଗ୍ୟ ଜମିର ଚିହ୍ନଟ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟ ଆରମ୍ଭ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସହ ବିଭିନ୍ନ ପ୍ରକାରର ଆଲୋଚନା ମଧ୍ୟ ଦେଖାଦେଇଛି।ସର୍ଭେ ଦଳ ପକ୍ଷରୁ ରାସ୍ତା କଡ଼ରେ ଥିବା ସରକାରୀ ଓ ବେସରକାରୀ ଜମିର ରେକର୍ଡ ଯାଞ୍ଚ କରାଯାଇଥିଲା। ଏଥିସହ ଖାତା, ପ୍ଲଟ୍‌, କିସମ, ଜମି ମାଲିକଙ୍କ ବିବରଣୀ ଏବଂ ଅଧିଗ୍ରହଣ ହେବାକୁ ଥିବା ଜମିର ପରିମାଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଯେଉଁ ସ୍ଥାନରେ ଘର, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ଅନ୍ୟାନ୍ୟ ସ୍ଥାୟୀ ନିର୍ମାଣ ରହିଛି, ସେଗୁଡ଼ିକର ମଧ୍ୟ ତାଲିକା ପ୍ରସ୍ତୁତ କରାଯାଉଛି। ସର୍ଭେ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନ କରିବା ଏବଂ ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଇଛି। ଜାତୀୟ ରାଜପଥ ପ୍ରଶସ୍ତିକରଣ ଦ୍ୱାରା ଭବିଷ୍ୟତରେ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବା ସହ ବଢ଼ୁଥିବା ଯାନବାହନ ଚାପକୁ ମୁକାବିଲା କରିବା ସମ୍ଭବ ହେବ। ଦୁର୍ଘଟଣା ହ୍ରାସ ପାଇବା ସହ ଜରୁରୀକାଳୀନ ସେବା, ପରିବହନ ଓ ବାଣିଜ୍ୟିକ କାର୍ଯ୍ୟକଳାପ ମଧ୍ୟ ଅଧିକ ଦ୍ରୁତ ହୋଇପାରିବ। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବ୍ୟବସାୟ, ଶିଳ୍ପ ଓ ସାମଗ୍ରିକ ଆର୍ଥିକ ବିକାଶରେ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ତେବେ ଜମି ଅଧିଗ୍ରହଣକୁ ନେଇ କେତେକ ଜମିମାଲିକ କ୍ଷତିପୂରଣ ଓ ପୁନର୍ବାସ ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି। ଏହାର ଜବାବରେ ସମ୍ପୃକ୍ତ ଅଧିକାରୀମାନେ କହିଛନ୍ତି ଯେ, ସମସ୍ତ କାର୍ଯ୍ୟ ସରକାରଙ୍କ ପ୍ରଚଳିତ ନିୟମାବଳୀ ଅନୁଯାୟୀ କରାଯିବ ଏବଂ ପ୍ରଭାବିତ ଜମିମାଲିକଙ୍କୁ ଆଇନ ଅନୁସାରେ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯିବ। ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଧିଗ୍ରହଣର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ