ଗଞ୍ଜାମ ଜିଲ୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ
ପୋଲସରା, ୨୨/୦୬/୨୬:”ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ, ନା ଛୁଇଁ ପାରିବ ରୋଗ, ନା ଆସିବ ବାର୍ଦ୍ଧକ୍ୟ”। କେବଳ ଯୋଗ ହିଁ ମଣିଷର ଅନେକ ଜଟିଳ ରୋଗକୁ ଦୂର କରିପାରିବ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏଭଳି ସଂକଳ୍ପ ନେଇ ଗଞ୍ଜାମ ଜିଲ୍ଲାର ପୋଲସରା ମ୍ୟୁନିସିପାଲିଟି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ସମେତ ବିଭିନ୍ନ ପଞ୍ଚାୟତରେ ନିଆରା ଢଙ୍ଗରେ ଯୋଗ ଦିବସ ପାଳନ କରାଯାଇଥିଲା।ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଯୋଗ, ପ୍ରାଣାୟାମ ଓ ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବାର ବାର୍ତ୍ତା ପ୍ରସାରିତ ହୋଇଥିଲା। ସ୍କୁଲର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ମଧ୍ୟ ଉତ୍ସାହର ସହିତ ଯୋଗାଭ୍ୟାସ କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ପ୍ରତିବର୍ଷ ପାଳିତ ହୋଇ ଆସୁଥିବା ଏହି ଯୋଗ ଦିବସ ଅବସରରେ ଉପସ୍ଥିତ ଯୋଗଗୁରୁମାନେ କହିଥିଲେ ଯେ, ପ୍ରତ୍ୟେକ ମଣିଷ ଯଦି ନିୟମିତ ଭାବେ ଯୋଗାଭ୍ୟାସ କରନ୍ତି, ତେବେ ବର୍ତ୍ତମାନ ସମୟରେ ଦେଖାଦେଉଥିବା ବିଭିନ୍ନ ଜଟିଳ ରୋଗରୁ ମୁକ୍ତି ପାଇବା ସହ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ।ଏହି କାର୍ଯ୍ୟକ୍ରମରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ମନୋଜ କୁମାର ଖଟୁଆ, ରାମକୃଷ୍ଣ ପ୍ରଧାନ, ଜ୍ୟୋତି ପୋଲାଇ, ଶରତ ପାଣିଗ୍ରାହୀ, ନୀଳମାଧବ ସାହୁ, ଭୋଳା ଗୁରୁଜୀ, ବିଭିନ୍ନ ଯୋଗଗୁରୁଙ୍କ ସମେତ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ।– ଗଣେଶ ପାଣିଗ୍ରାହୀ, ରିପୋର୍ଟ
