ସୁନାବେଡାରେ ଧୁମଧାମରେ ପାଳିତ ହେଲା ଶିବ ବିବାହ ଓ ଶୀତଳ ଷଷ୍ଠୀ
ସୁନାବେଡା, ୧୯/୦୬/୨୦୨୬: ସୁନାବେଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ବୃନ୍ଦାବତୀ ପୀଠ ଠାରେ ପବିତ୍ର ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ମହା ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ସକାଳୁ ବିଭିନ୍ନ ଧାର୍ମିକ ରୀତିନୀତି ସହ ଶିବ ମହାଦେବଙ୍କ ପ୍ରତିମାଙ୍କୁ ସ୍ନାନ କରାଯାଇଥିଲା। ପରେ କନ୍ୟା ପକ୍ଷ ପକ୍ଷରୁ ଦେବୀଙ୍କୁ ଶୋଭାଯାତ୍ରାରେ ଆଣି ବିବାହ ପାଇଁ ପ୍ରସ୍ତୁତି କରାଯାଇଥିଲା।
ସନ୍ଧ୍ୟାରେ ରୋଷଣୀ, ବାଣ ଓ ବାଦ୍ୟବାଜନାର ତାଳେ ତାଳେ ବରଯାତ୍ରା ବାହାରିଥିଲା। କନ୍ୟା ପକ୍ଷ ବର ଓ ବରଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ବେଦୀରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଶିବ-ପାର୍ବତୀଙ୍କ ଦିବ୍ୟ ବିବାହ ସମ୍ପନ୍ନ ହୋଇଥିଲା। ସମୁଦି-ସମୁଦୁଣୀଙ୍କ ମିଳନ, କଉଡ଼ି ଖେଳ, ହସ୍ତଗଣ୍ଠି ଭଳି ପାରମ୍ପରିକ କାର୍ଯ୍ୟକ୍ରମ ଉପସ୍ଥିତ ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥିଲା।
ବିବାହ ଉତ୍ସବରେ ହଜାରରୁ ଅଧିକ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇଥିଲେ। ଅତିଥି ଓ ବରଯାତ୍ରୀମାନଙ୍କ ପାଇଁ ଭବ୍ୟ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଉତ୍ସବ ପରେ ମନ୍ଦିର ପରିସରରେ ହୋମ ଯଜ୍ଞ ଏବଂ ପ୍ରସାଦ ସେବନର ଆୟୋଜନ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଭକ୍ତ ଅଂଶଗ୍ରହଣ କରିଥିଲେ। ବ୍ୟାପକ ଜନସମାଗମ ମଧ୍ୟରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ସଫଳତାର ସହ ପାଳିତ ହୋଇଥିଲା।
ସୁନାବେଡାରେ ଧୁମଧାମରେ ପାଳିତ ହେଲା ଶିବ ବିବାହ ଓ ଶୀତଳ ଷଷ୍ଠୀ
