ଋଣ ଭାର ଓ ପୁଅର ମୃତ୍ୟୁର ଦୁଃଖ ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ସନ୍ଦେହ
ଧରାକୋଟ (ଗଞ୍ଜାମ):ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଞ୍ଚଳର ଝାଡବନ୍ଧ ପଞ୍ଚାୟତର କଳାସୂତା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସମ୍ମୁଖକୁ ଆସିଛି। ଋଣ ଭାର ଓ ପରିବାରିକ ଦୁଃଖ ସହିନପାରି ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ମୃତକମାନେ ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ତାଙ୍କ ସ୍ତ୍ରୀ ୬୧ ବର୍ଷୀୟ ନମିତା ବିଷୋୟୀ। ଘରେ କେହି ନଥିବା ସମୟରେ ଉଭୟେ ପ୍ଲାଷ୍ଟିକ ରଶିରେ ଗଳା ଫାସି ନେଇଥିବା ଜଣାପଡ଼ିଛି।ପ୍ରାଥମିକ ସୂଚନା ଅନୁସାରେ, ସିମାଞ୍ଚଳଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ନମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପରିବାରରେ ମୋଟ ଚାରି ଝିଅ ଓ ଦ୍ୱିତୀୟ ପତ୍ନୀଙ୍କର ଜଣେ ପୁଅ ଓ ଜଣେ ଝିଅ ଥିଲେ। ସମସ୍ତ ଝିଅମାନଙ୍କ ବିବାହ ହୋଇସାରିଥିଲା।ତେବେ ପରିବାରର ଏକମାତ୍ର ପୁଅ, ଯିଏ ହାଇଦ୍ରାବାଦରେ କାମ କରୁଥିଲେ, ଛଅ ମାସ ପୂର୍ବେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ପୁଅର ଅକାଳ ମୃତ୍ୟୁ ପରେ ଦମ୍ପତି ମାନସିକ ଭାବେ ଭାଙ୍ଗି ପଡ଼ିଥିବା କୁହାଯାଉଛି।ସମ୍ପ୍ରତି ତାଙ୍କ ସାନ ଝିଅର ବିବାହ ୨୧ ତାରିଖରେ ସିଙ୍ଗିପୁର ଗ୍ରାମରେ ସମ୍ପନ୍ନ ହୋଇଥିଲା। ବିବାହ ପରବର୍ତ୍ତୀ କାର୍ଯ୍ୟକ୍ରମ ଶେଷ ପରେ ପରିବାରର ସଭ୍ୟମାନେ ନିଜ ନିଜ ଘରକୁ ଫେରିଯାଇଥିଲେ।ପରେ ଜଣେ ଝିଅ ଘରକୁ ଆସି ଦେଖିଥିଲେ ଯେ, ଉଭୟ ପିତାମାତା ଘରର ଉପର ଘରେ ଝୁଲନ୍ତା ଅବସ୍ଥାରେ ରହିଛନ୍ତି। ସେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ପୋଲିସକୁ ସୂଚନା ଦିଆଯାଇଥିଲା।ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆସ୍କା ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଏହି ଘଟଣାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଚାଲିଛି।ଏହି ଦୁଃଖଦ ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
