ମହାସମାହରୋହରେ ପଣାସଂକ୍ରାନ୍ତି ପାଳିତ ।
ଗଜପତି, ୧୪.୪(ମନୋଜ ପାଢ଼ୀ):- ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମହାସମାହରୋହରେ ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ରିତୀନିତୀ ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବୀର ଜୟନ୍ତୀମଧ୍ୟ ବିଭିନ୍ନ ଅନୁଷ୍ଠାନ ତଥା ମନ୍ଦିର ମାନଙ୍କରେ ପାଳନ ହୋଇଛି । ସହରର ସର୍ବପୁରାତନ କଲେଜ ଛକ, ନେହେରୁ ଛକ, ତେଟା ହନୁମାନ, ରେଳଷ୍ଟେସନ ଆଦି ମନ୍ଦିର ସହ କରଣସାହି, କେଉଟସାହି ଇତ୍ୟାଦି ବିଗ୍ରହ ଗୁଡିକରେ ଧୂମ୍ ଧାମରେ ପୂଜାର୍ଚ୍ଚନା, ପୂର୍ଣ୍ଣ ଆହୂତି, ୧୦୮ ହନୁମାନ ଚାଳିଶା ପଠନ, ପଣାବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ଏହି ସବୁ ସ୍ଥାନଗୁଡିକରେ ବିଭିନ୍ନ କମିଟି ପକ୍ଷରୁ ଅନ୍ନସେବା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁମାନଙ୍କପାଇଁ ଆୟୋଜନ କରାଯାଇଥିଲା । ସେହିପରି ବିଭିନ୍ନ ଛକ ସ୍ଥାନମାନଙ୍କରେ ବିଭିନ୍ନ ଯୁବଗୋଷ୍ଠି ଏବଂ ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ଭବ୍ୟପଣା ପ୍ରସ୍ତୁତ କରି ପଥଚାରୀଙ୍କୁ ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଆଜି ଓଡିଆ ନବବର୍ଷ ହୋଇଥିବା ଯୋଗୁଁ ନିଜ ନିଜ ମଧ୍ୟରେ ଅଭିନନ୍ଦନ ବାର୍ତ୍ତା ଦେଉଥିବାର ଦେଖିବାକୁ ମିଳିଥିଲା । ପାରଳାଖେମୁଣ୍ଡି ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଏବଂ ଓଡିଆ ତେଲୁଗୁ ଦ୍ୱିଭାଷୀ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଭାଇଚାରା ଦୃଷ୍ଟିରୁ ଓଡିଆ ନବବର୍ଷକୁ ସମସ୍ତେ ଧୂମଧାମରେ ପାଳନକରିଥିବାର ଦେଖିବାକୁ ମିଳିଥିଲା । ଏଥିପାଇଁ ଅନେକ ସ୍ଥାନରେ ଥିବା ମଠମନ୍ଦିର ଗୁଡିକରେ ଅନ୍ନପ୍ରସାଦ ସେବନକରୁଥିବା ଦେଖିବାକୁ ମିଳିଥିଲା । ସେହିପରି ରେଳଷ୍ଟେସନ ନିକଟରେ ଥିବା ହନୁମାନ ମନ୍ଦିରରେ 3 ଦିନ ଧରି ବିଶ୍ବ କଲ୍ୟାଣ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ଏହା ବିଗତ 24 ବର୍ଷ ଧରି ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ମନ୍ଦିରର ପୂଜକ ଶଙ୍କର ରଥ, ସୁଦର୍ଶନ ତ୍ରିପାଠୀ, ସନ୍ତୋଷ ତ୍ରିପାଠୀ, ବଳି ପ୍ରସାଦ ଦାଶ, ତାରିଣୀ ଚରଣ ତ୍ରିପାଠୀ, ଜଗନ୍ନାଥ ରଥ ଶର୍ମା, ପ୍ରବିଣ କୁମାର ଷଡ଼ଙ୍ଗୀ, ଜିତେନ୍ଦ୍ର ପଣ୍ଡା, ବଟକୃଷ୍ଣ ମହାପତ୍ର, କାମଦେବ ପାଢି, କତା ଲକ୍ଷ୍ମୀ କାନ୍ତ ପରିଛା, ବାସନ୍ତୀ ପରିଛା ପୂଜାର୍ଚ୍ଚନା ଯଜ୍ଞ ଆଦି କରିଥିବା ବେଳେ ବହୁ ସଂଖ୍ୟକ ହନୁମାନ ଭକ୍ତ ଯୋଗଦେଇଥିଲେ ।
