ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ବିକ୍ରି: ୪୮ଟି ସିଲିଣ୍ଡର ସହ ଗାଡ଼ି ଜବତ
ଗଜପତି, ୯/୪ (ମନୋଜ ପାଢ଼ୀ):ଗଜପତି ଜିଲ୍ଲାରେ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ବିକ୍ରି ହେଉଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୪୮ଟି ଗ୍ୟାସ୍ ସିଲିଣ୍ଡର ସହ ଗୋଟିଏ ଗାଡ଼ିକୁ ଜବତ କରାଯାଇଛି।ମିଳିଥିବା ସୂଚନା ଅନୁସାରେ, ମୋହନା ଅଞ୍ଚଳରେ ଗୋଟିଏ ଏଜେନ୍ସି ପକ୍ଷରୁ ଗାଡ଼ିରେ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ବିକ୍ରି କରାଯାଉଥିବା ନେଇ ପ୍ରଶାସନକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହା ପରେ ଉପଜିଲାପାଳ ଅନୁପ କୁମାର ପଣ୍ଡାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ଗାଡ଼ିରେ ଥିବା ଗ୍ୟାସ୍ ସିଲିଣ୍ଡର ସମ୍ପର୍କିତ କୌଣସି ବୈଧ ପ୍ରମାଣପତ୍ର ଦେଖାଇ ପାରି ନଥିବାରୁ ପ୍ରଶାସନ ଗାଡ଼ି ସହ ୪୮ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଥିଲା। ଏଥିରେ ୨୬ଟି ଭର୍ତ୍ତି ସିଲିଣ୍ଡର ଓ ୨୨ଟି ଖାଲି ସିଲିଣ୍ଡର ଥିବା ସୂଚନା ମିଳିଛି।ଉପଜିଲାପାଳଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚଢ଼ାଉ କରି ୧୯ଟି ମାମଲା ରୁଜୁ ହୋଇଥିବା ସହ ୧୮୨ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି।
ଆଗାମୀ ଦିନରେ ଏହିପରି ବେଆଇନ କାରବାର ରୋକିବା ପାଇଁ ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
