ଗ୍ୟାସ ଅଭାବ ବିକ୍ରି ଉଜାଡିବାକୁ ବସିଲାଣି ଛୋଟ ବ୍ୟବସାୟୀ ଙ୍କ ଜୀବନ ଜୀବିକା
ଗଜପତି,୧୫.୩(ମନୋଜ ପାଢ଼ୀ):- ମଧ୍ୟପ୍ରାଚ୍ୟ ରେ ଲାଗି ରହିଥିବା ଯୁଦ୍ଧର ପ୍ରଭାବ କାରଣରୁ ଜିଲ୍ଲାରେ ଗ୍ୟାସର ଅଭାବି ବିକ୍ରି ହେତୁ ଜିଲ୍ଲାର ସଦର ମହକୁମା ତଥା ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ ଛୋଟ ଛୋଟ ହୋଟେଲ ବ୍ୟବସାୟ କରି ଗୁଜାରଣ ମେଣ୍ଟାଉଥିବା ଲୋକେ ଗତ କିଛି ଦିନ ହେଲା ନିଜ ବ୍ୟବସାୟ ବନ୍ଦ କରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଘରୋଇ ଗ୍ୟାସ ବ୍ୟତୀତ ବ୍ୟବସାୟ ଭିତ୍ତିକ ଗ୍ୟାସ ମିଳିପାରୁ ନାହିଁ। ଏବେ ଜିଲ୍ଲାରେ ଥିବା ଗ୍ଯାସ ଡିପୋରେ ବ୍ୟବସାୟ ଉପଯୋଗୀ ବଡ ସିଲିଣ୍ଡର ଯୋଗାଣ ବନ୍ଦ ରହିଛି ,ରାଜ୍ୟ ସରକାରଙ୍କ ଘୋଷଣା କ୍ରମେ ସାଧାରଣ ଉପଯୋଗୀ ସିଲିଣ୍ଡର ମଧ୍ୟ ୨୫ ଦିନରେ ଗୋଟିଏ ମିଳୁଛି।ହେଲେ ଜିଲ୍ଲାରେ ରାସ୍ତା କଡର ଠେଲା ହୋଟେଲ, ଫାଷ୍ଟଫୁଡ ଭଳି ଦୋକାନ ବିନା ଗ୍ୟାସରେ ବର୍ତ୍ତମାନ ଚାଲିବ ବା କିପରି । ପୂର୍ବରୁ ସୁଲଭ ମୂଲ୍ୟରେ କିରୋସିନ ମିଳି ପାରୁଥିଲା ଯାହା ବର୍ତ୍ତମାନ ଆଉ ସାଧାରଣରେ ମଧ୍ୟ ଉପଲବ୍ଧ ନାହିଁ । ପୂର୍ବେ ପାରଳାଖେମୁଣ୍ଡି ଏବଂ ଆଖପାଖ ଅଞ୍ଚଳରେ କାଠ ଚୁଲା କିମ୍ବା ତସୁ ଚୁଲା ବ୍ୟବହାର କରୁଥିଲେ ଛୋଟ ଛୋଟ ବ୍ୟବସାୟୀ ମାନେ ।
ବିଭିନ୍ନ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ତରଫରୁ ଚଢ଼ାଉ ହେତୁ ଲୋକେ ପାରମ୍ପରିକ ପଦ୍ଧତିକୁ ମଧ୍ୟ ଛାଡି ଦେଇଛନ୍ତି। ଦୁଇ ଦିନ ହେଲା ନିଜ ବ୍ୟବସାୟ କରିନପାରି ଜିଲ୍ଲାର ବିଭିନ୍ନ ସ୍ଥାନର ଛୋଟ ବ୍ୟବସାୟୀ ଜାଳେଣିର ସନ୍ଧାନରେ ଦୋକାନ ବନ୍ଦ କରି ବୁଲୁଛନ୍ତି । ଏପଟେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଥିବା ସରକାରୀ ଓ ବେସରକାରୀ କର୍ମଚାରୀ ଅଧିକାଂଶ ନିର୍ଭର କରିଥାନ୍ତି ସକାଳ ଜଳଖିଆ ପାଇଁ ଛୋଟ ଛୋଟ ହୋଟେଲ ଗୁଡିକ ଉପରେ । ଗତ ଦୁଇ ଦିନ ହେଲା ଗ୍ୟାସ ଅଭାବରୁ ବିଭିନ୍ନ ହୋଟେଲ ବନ୍ଦ ଥିବା ହେତୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ଛୋଟ ଛୋଟ ବ୍ୟବସାୟୀ ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୌଣସି ବିକଳ୍ପ ବ୍ୟବସ୍ଥା ବାହାର କରିବା ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅନ୍ୟପଟେ ଗ୍ୟାସ ଅଭାବରୁ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ରେଷ୍ଟୁରାଣ୍ଡ ଗୁଡିକ ଜାଳେଣି କାଠରେ ରୋଷେଇ କରୁଥିବାର ଦେଖିବାକୁ ମିଳୁଛି । ନିଜ ପେଟ ପଟଣା ପାଇଁ କାଠ ଚୁଲା ଏବଂ ଅନ୍ୟାନ୍ୟ ଜାଳେଣୀ ସାମଗ୍ରୀର ପୁନର୍ବାର ବ୍ୟବହାର କରିବା ଆରମ୍ଭ କରିଥିବା କହିଛନ୍ତି ।
ଅନ୍ୟ ପକ୍ଷରେ ଘରୋଇ ରନ୍ଧନ ଗ୍ଯାସ ଅବଶ୍ୟକ ପରିମାଣର ନପାଇ ରୋଷେଇ ସମସ୍ୟାର ସମଧାନ ପାଇଁ ବିଦ୍ୟୁତ ଚୁଲାର ଚାହିଦା ବୃଦ୍ଧି ପାଇଛି , ସେଥିପାଇଁ ଦୋକାନ ଗୁଡିକରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଛି । ସେହିଭଳି ଗ୍ରାମାଞ୍ଚଳରେ ଅଧିକାଂଶ ଘରେ ପାରମ୍ପରିକ କାଠ ଚୁଲାର ପୁଣି ବହୁଳ ବ୍ୟବହାର କରାଯାଉଥିବା ପରିଲକ୍ଷିତ ହୋଇଛି ।
