ରାଜ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୩.୧୧ ଲକ୍ଷ ମାମଲାର ସମାଧାନ, ୧୬୬ କୋଟି ଟଙ୍କା ଆଦାୟ ନିର୍ଦ୍ଦେଶ

ରାଜ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୩.୧୧ ଲକ୍ଷ ମାମଲାର ସମାଧାନ, ୧୬୬ କୋଟି ଟଙ୍କା ଆଦାୟ ନିର୍ଦ୍ଦେଶ

ରାଜ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୩.୧୧ ଲକ୍ଷ ମାମଲାର ସମାଧାନ, ୧୬୬ କୋଟି ଟଙ୍କା ଆଦାୟ ନିର୍ଦ୍ଦେଶ

କଟକ: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଆୟୋଜିତ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ବିପୁଳ ସଂଖ୍ୟକ ମାମଲାର ସମାଧାନ କରାଯାଇଛି। ଆପୋଷ ବୁଝାମଣା ଆଧାରରେ ମୋଟ ୩ ଲକ୍ଷ ୧୧ ହଜାର ୬୯୦ଟି ମାମଲାର ଫଏସଲା କରାଯାଇଥିବା ବେଳେ ୧୬୬ କୋଟି ୨୩ ଲକ୍ଷ ୧୩ ହଜାର ୯୨୫ ଟଙ୍କା ଜରିମାନା ଓ କ୍ଷତିପୂରଣ ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା।

ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରାଧୀନ ଓ ପ୍ରାକ୍‌-ମୋକଦ୍ଦମା ସ୍ତରୀୟ ମାମଲାର ଆପୋଷ ସମାଧାନ କରାଯାଇଛି। ଫଏସଲା ହୋଇଥିବା ମାମଲା ମଧ୍ୟରେ ୩୦୬ଟି ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ), ୨୦ଟି ପ୍ଲି ବାର୍ଗେନିଂ, ୧୭୯୯ଟି ଚେକ୍ ବାଉନ୍ସ, ୪୭୧ଟି ଅର୍ଥ ଆଦାୟ, ୯୨୮ଟି ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ୯୬୮ଟି ଟ୍ରାଫିକ ଚାଲାଣ, ୪୮ଟି ଶ୍ରମ ବିବାଦ, ୪୬୭ଟି ପାରିବାରିକ ବିବାଦ ଆଦି ମାମଲା ଅନ୍ତର୍ଭୁକ୍ତ ଅଛି।ଏହାଛଡ଼ା ୨ ଲକ୍ଷ ୮୧ ହଜାର ୬୧୨ଟି ରାଜସ୍ୱ ସମ୍ପର୍କିତ ମାମଲା, ୧୩ ହଜାର ୧୬୭ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା, ଏବଂ ୧୫୬୬ଟି ଅନ୍ୟାନ୍ୟ ଦେୱାନୀ ମାମଲା ମଧ୍ୟ ଆପୋଷ ବୁଝାମଣାରେ ସମାଧାନ କରାଯାଇଛି।ଜିଲ୍ଲା ଓ ତାଲୁକା ଅଦାଲତ ସହିତ ଡିଆରଟି, ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ, ଶ୍ରମ ଅଦାଲତ, ଶିଳ୍ପ ଟ୍ରିବୁନାଲ ଓ ଅନ୍ୟାନ୍ୟ ଟ୍ରିବୁନାଲରେ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣି କରି ଆପୋଷ ସହମତି ଆଧାରରେ ଫଏସଲା କରାଯାଇଛି।ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ଲିଗାଲ ସର୍ଭିସେସ୍ ଅଥରିଟିଙ୍କ ନିର୍ଦ୍ଦେଶ ଅନୁସାରେ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଥିଲା।