ମନରେଗା ଦୁର୍ନୀତିରେ ଉବୁଟୁବୁ ହେଉଛି ଆର – ଉଦୟଗିରି ବ୍ଲକ

ମନରେଗା ଦୁର୍ନୀତିରେ ଉବୁଟୁବୁ ହେଉଛି ଆର - ଉଦୟଗିରି ବ୍ଲକ

ମନରେଗା ଦୁର୍ନୀତିରେ ଉବୁଟୁବୁ ହେଉଛି ଆର – ଉଦୟଗିରି ବ୍ଲକ*

ଆର, -ଉଦୟଗିରି 06/03/2026(ମନୋଜ କୁମାର ପାଢୀ)-: ଗ୍ରାମାଞ୍ଚଳ ମାନଙ୍କରେ ଲୋକଙ୍କୁ ରୋଜ଼ଗାର ଦେବା ତଥା ଓଡିଶାକୁ ଦାଦନ ମୁକ୍ତ କରିବା ଲକ୍ଷ ନେଇ ତତ୍କାଳୀନ କେନ୍ଦ୍ରସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ବ୍ୟୟବରାଦ କରି ନିଜ ଗାଁରେ ନିଜେ କାମ କରିବା ପାଇଁ ଏହି ଲୋକାଭିମୁଖୀ ଯୋଜନାକୁ ପ୍ରଣୟନ କରିଥିଲେ l ସେହି ଯୋଜନାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ସରକାରୀ ସ୍ତରର ଅନେକ କଟକଣା କରାଯାଇଛି l କିନ୍ତୁ ଏହି ଯୋଜନାରେ ଲୋକମାନେ ରୋଜଗାର ପାଇବା ପରିବର୍ତ୍ତେ ସମସ୍ତ ଟଙ୍କାକୁ ବାଟମାରଣା କରି ଅଧିକାରୀମାନଙ୍କର ପକେଟକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳ ରା -ଉଦୟଗିରି ବ୍ଲକର ସମସ୍ତ ପଞ୍ଚାୟତରେ l ଏହି ବ୍ଲକ ବର୍ତମାନ ମନରେଗା ଦୁର୍ନୀତିର ଗନ୍ତାଘର ପାଲଟିଛି କହିଲେ ଅତୃପ୍ତି ହେବ ନାହିଁ l ଗାଁ ମାନଙ୍କରେ ହେଉଥିବା ସମସ୍ତ ମନରେଗା କାମ ଗାଁର ମେଟ ମାନଙ୍କର ନାମରେ ହୋଇଥାଏ l ସେହି ମେଟ ଗୋଟେ ଗାଁରେ ହିଁ କାମ କରିପାରିବ l କିନ୍ତୁ କିଭଳି ଏଠାରେ ଗୋଟିଏ ମେଟ ନାମରେ ବିଭିନ୍ନ ପଞ୍ଚାୟତର ଚାରିରୁ ଉର୍ଦ୍ଧ କାମ ହେଉଥିବା ଦେଖିବାକୁ ମିଳୁଛି? ଅନେକ କାମକୁ ମେସିନ ମାଧ୍ୟମରେ କାମ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି l ଯାହା ସବୁ କାମ ହେଉଛି ଅଳ୍ପ କାମ କରି ସମସ୍ତ ଟଙ୍କାକୁ ଶ୍ରମିକ ଅଂଶକୁ ଲୋକଙ୍କର ଆକାଉଣ୍ଟକୁ ପଠାଯାଉଛି ଏବଂ ପରେ ବାୟମେଟ୍ରିକ କରି ଲୋକଙ୍କଠୁ ହଡପ କରାଯାଉଥିବା ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣୁଛନ୍ତି ଲୋକେ l କୌଣସି କାମ ନହୋଇ ସାମଗ୍ରୀ ଅଂଶକୁ ଭେଣ୍ଡର ଖାତାକୁ ପଠାଯାଉଛି ଏବଂ ତାହାକୁ ମିଥ୍ୟା ବିଲ କରି ସମସ୍ତେ ଭାଗବାଣ୍ଟି ଖାଇଯାଉଥିବା ଦେଖିବାକୁ ମିଳୁଛି l କିଛି କିଛି ସ୍ଥାନରେ ପୁରୁଣା କାମକୁ ପୁନଃ ବିଲ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି l ଏନେଇ ଆମେ ବ୍ଲକ ଏ ପି ଓ ଙ୍କୁ ଫୋନ ମାଧ୍ୟମରେ ପଚାରିବାରୁ ସେ ଏହି ଦୁର୍ନୀତିକୁ ଖଣ୍ଡନ କରିଛନ୍ତି l 2021 ମସିହାରେ ବସ୍ତ୍ରୀଗୁଡା ପଞ୍ଚାୟତ ବାଦପୁର ଗ୍ରାମରେ କେନାଲ ପାଣି ଯେମିତି ଗାଁକୁ ନାସେ ସେଥିପାଇଁ ମନରେଗା ମାଧ୍ୟମରେ ଏକ ସିମେଣ୍ଟ ବନ୍ଧ ନିର୍ମାଣ କରିବା ପାଇଁ ଟଙ୍କା ଆସିଥିଲା l

କିନ୍ତୁ ସେଠାରେ ସିମେଣ୍ଟ ୱାଲ କରିବା ପରିବର୍ତ୍ତେ ନିମ୍ନମାନର ପଥର ୱାଲ କରାଯାଇଥିଲା ଯାହାଫଳରେ କିଛି ଦିନ ପରେ ତାହା ଭୁଶୁଡି ଯାଇଥିଲା l ଏନେଇ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଅଭିଯୋଗ କଲେ ମଧ୍ୟ ଦୁର୍ନୀତିର ତଦନ୍ତ ହେବା ଦୂରର କଥା ଦୁର୍ନୀତିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ l ତେଣୁ ଏହି ଘଟଣାରୁ ସ୍ପଷ୍ଟ ବାରିହେଉଛି ଯେ, “ଖଜୁରୀ ଗଛର ମୂଳରୁ ପାହାଚ ପାହାଚ” ଭଳି ଏହି ବ୍ଲକର ମନରେଗା ଦୁର୍ନୀତିରେ ଛୋଟ କର୍ମଚାରୀ ଠୁ ଆରମ୍ଭ କରି ବଡ଼ବଡ଼ ବାବୁମାନେ ମଧ୍ୟ ସମ୍ପୃକ୍ତି ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି l ତେଣୁ ଏହି ବ୍ଲକରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି ।