ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଆକ୍ରମଣ କରି ତିନି ଗିରଫ ।
ଗଜପତି,୫.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବାକୁ ନେଇ ଚର୍ଚ୍ଚାରେ ରହୁଛି । କେତେବେଳେ ରୋଗୀସେବାରେ ନିୟୋଜିତ ଡାକ୍ତରଙ୍କ ଅନୁପସ୍ଥିତି ତ କେତେବେଳେ ଚିକିତ୍ସାରେ ଅବହେଳା ଆଉ କେତେବେଳେ କର୍ମଚାରୀଙ୍କ ନାଲି ଆଖି ଦେଖାଇବା ଆଦି ଘଟଣା ଘଟିବା ନିତିଦିନିଆରେ ପରିଣତ ହେଲାଣି । ତେବେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ତିନି ଜଣ ଆକ୍ରମଣ କରି ଗିରଫ ହୋଇଥିବା ଘଟଣା ସାମନାକୁ ଆସିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ସୂତ୍ରରୁ ପ୍ରକାଶ ଯେ ବୁଧବାର ସନ୍ଧ୍ୟା ସମୟରେ ନର୍ସିଂ ଅଫିସର ମନୋଜ କୁମାର ଶବର (୨୯) କର୍ମରତ ସମୟରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ୍ ଦେଉଥିବା ବେଳେ ପାରଳାଖେମୁଣ୍ଡି ସହରର କାମ୍ପସାହିର ଅବ୍ଦୁଲ ଇମତିଆଜ (୨୧) ଏବଂ ତାଙ୍କ ସହଯୋଗୀ ଅବ୍ଦୁଲ ଇଜାଜ (୨୩) ଓ ଟି. ଭାନୁପ୍ରସାଦ (୨୩) ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି କର୍ମରେ ବାଧା ଦେଇଥିଲେ । ଏହା ସହିତ ସେମାନେ ମିଳିମିଶି ମନୋଜଙ୍କୁ ମାଡ ମାରି ରକ୍ତାକ୍ତ କରିଦେଇଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ନର୍ସିଂ ଅଫିସର ମନୋଜ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ୭୨/୨୬ ରେ ଏକ ମାମଲା ରୁଜୁ କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲାଣ କରାଯାଇ ତଦନ୍ତ ଜାରି ରହିଥିବାର ସୂଚନା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ପ୍ରେସବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ।
