କୋରାପୁଟରେ ହାଶିଶ ତେଲ କାରଖାନା ଧ୍ୱଂସ, ୨୨୫ କୋଟିର ସାମଗ୍ରୀ ଜବତ

କୋରାପୁଟରେ ହାଶିଶ ତେଲ କାରଖାନା ଧ୍ୱଂସ, ୨୨୫ କୋଟିର ସାମଗ୍ରୀ ଜବତ

କୋରାପୁଟରେ ହାଶିଶ ତେଲ କାରଖାନା ଧ୍ୱଂସ, ୨୨୫ କୋଟିର ସାମଗ୍ରୀ ଜବତ

କୋରାପୁଟ ଜିଲ୍ଲା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍‌ରେ ଚଢ଼ାଉ କରି ୧୮୦ ଲିଟରରୁ ଅଧିକ ହାଶିଶ ତେଲ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି।

ବିଶ୍ୱସ୍ତ ସୂଚନା ଆଧାରରେ ଡିଆଇଜି (ଦକ୍ଷିଣାଞ୍ଚଳ)ଙ୍କ ନିର୍ଦ୍ଦେଶରେ କୋରାପୁଟ ଏସପିଙ୍କ ନେତୃତ୍ୱରେ ଗଠିତ ବିଶେଷ ଦଳ ଏହି ଯୋଜନାବଦ୍ଧ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ହାଶିଶ ତେଲ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଓ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଖୋଜ଼ ଜାରି ରହିଛି।ଏହା ସହିତ ଅନ୍ୟ ଏକ ଅଭିଯାନରେ ନନ୍ଦପୁର ଥାନା ପୋଲିସ ୧୧୪୩ କେଜି ଗଞ୍ଜେଇ ଜବତ କରି ୪ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ। ଦୁଇଟି ମହିନ୍ଦ୍ରା ପିକଅପ୍ ଗାଡ଼ିରେ ଚୋରାଚାଲାଣ ହେଉଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଗିରଫ ହୋଇଥିବା ଦୁଇଜଣ ସେମିଳିଗୁଡ଼ା ଅଞ୍ଚଳର ଓ ଅନ୍ୟ ଦୁଇଜଣ ହରିୟାଣାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଗଞ୍ଜେଇ ଚାଷ ଓ ମାଦକଦ୍ରବ୍ୟ କାରବାରକୁ ରୋକିବା ପାଇଁ ପୋଲିସର ସଂଗଠିତ ଅଭିଯାନ ଜାରି ରହିଛି। ବହୁଳ ପରିମାଣରେ ଗଞ୍ଜେଇ ପରିବହନ କଷ୍ଟସାଧ୍ୟ ହେବାରୁ ଅପରାଧୀମାନେ ଏବେ ହାଶିଶ ତେଲ ପ୍ରସ୍ତୁତ କରି ଛୋଟ ପରିମାଣରେ ଉଚ୍ଚ ମୂଲ୍ୟର ମାଦକଦ୍ରବ୍ୟ ଚାଲାଣ କରିବାକୁ ଚେଷ୍ଟା କରୁଛନ୍ତି।

ପୋଲିସ ଏହି ନୂତନ ପ୍ରବୃତ୍ତିକୁ ଗଭୀର ଭାବେ ନଜରରେ ରଖିଛି।