ବାଲ୍ୟ ବିବାହ ମୁକ୍ତ ପାଇଁ ସଚେତନତା ରଥର ଶୁଭାରମ୍ଭ
ଗଜପତି,୨୫.୨(ମନୋଜ ପାଢ଼ୀ )-: ଜିଲ୍ଲାରେ ବାଲ୍ୟବିବାହ ମୁକ୍ତ ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଏହି ରଥକୁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ୍ ପତାକା ଦେଖାଇ ଶୁଭାରମ୍ଭ କରି ଆସନ୍ତୁ ସମସ୍ତେ ମିଶି ଏହାକୁ ମୂଳରୁ ମୂଳପୋଛ କରିବା ଏବଂ ସମସ୍ତ ପିଲାଙ୍କୁ ସେମାନଙ୍କର ଅଧିକାର ଦେବାକୁ ଆହ୍ବାନ ଦେଇଥିଲେ । ଏହି ପ୍ରଚାର ପ୍ରସାର ରଥ ଜିଲ୍ଲାର ଆର୍.ଉଦୟଗିରି ଓ ଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ସଚେତନତା କରିବ । ମୁଖ୍ୟ କରି ବାଲ୍ୟ ବିବାହ ଏକ ଆଇନଗତ ଅପରାଧ, ୨୧ ବର୍ଷରୁ କମ୍ ବୟସର ପୁଅ ଏବଂ ୧୮ ବର୍ଷରୁ କମ୍ ବୟସର ଝିଅଙ୍କ ବାଲ୍ୟବିବାହ ଏକ ଆଇନଗତ ଅପରାଧ, ବାଲ୍ୟବିବାହ ପରିଚାଳନା ପାଇଁ ଦୋଷୀ ପିତାମାତା ଏବଂ ଅନ୍ୟାନ୍ୟ ସମ୍ପର୍କୀୟଙ୍କୁ ୨ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରିବ ଏହା ସହ ବାଲ୍ୟ ବିବାହ କରୁଥିବା ପୁରୋହିତ, ବରଯାତ୍ରୀ, ବ୍ୟାଣ୍ଡ୍ପାର୍ଟି, ଟେଣ୍ଟ୍ବାଲା ଓ ବାଲ୍ୟ ବିବାହରେ ସାମିଲଥିବା ସମସ୍ତ ବ୍ୟକ୍ତି ୨ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଭୋଗିବେ କିମ୍ବା ୧ଲକ୍ଷଟଙ୍କା ଜୋରିମାନା ଦେବେ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବା ପ୍ରାବଧାନ ରହିଥିବାକୁ ନେଇ ସଚେତନତା କରାଯାଉଛି । ଆଜିର ଏହି ରଥ ଶୁଭାରମ୍ଭ ବେଳେ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତଥିଲେ ।
