ବରଗଡ଼ରେ ବଢୁଛି କର୍କଟ ରୋଗ ଆତଙ୍କ: ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ କର୍କଟ ହସ୍ପିଟାଲ:- ସାଂସଦ ପ୍ରଦୀପ ପୁରୋହିତ
ବରଗଡ,୧୦।୨(ଭବାନୀ ଶଙ୍କର ପାଢ଼ୀ) ଓଡ଼ିଶାର ବରଗଡ଼ ଜିଲ୍ଲାରେ ବୃଦ୍ଧି ପାଉଥିବା କର୍କଟ ରୋଗ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବରଗଡ଼ କର୍କଟ ହସ୍ପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତାକୁ ଧ୍ୟାନ ଦେବାପାଇଁ ଚିଠି ଲେଖିଲେ ସାଂସଦ ପ୍ରଦୀପ ପୁରୋହିତ। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୩ରେ ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ୪୩,୨୧୦ରୁ ୨୦୨୨ରେ ୫୨,୯୬୦କୁ ବୃଦ୍ଧି ପାଇଥିଲା, ଯେତେ ବେଳେ କର୍କଟ ମୃତ୍ୟୁ ୨୩,୮୮୬ରୁ ୨୯,୨୮୭କୁ ବୃଦ୍ଧି ପାଇଥିଲା। (ଇସିଏମ ଆର୍ )ର ଜାତୀୟ କର୍କଟ ପଞ୍ଜିକା କାର୍ଯ୍ୟକ୍ରମ ଅନୁଯାୟୀ, ୨୦୨୫ ସୁଦ୍ଧା ଏହି ସଂଖ୍ୟା ୫୫,୦୦୦ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ପଶ୍ଚିମ ଓଡ଼ିଶାରେ ୨୦୨୧-୨୩ ମଧ୍ୟରେ ବରଗଡ଼, ସମ୍ବଲପୁର ଏବଂ ବଲାଙ୍ଗୀର ଭଳି ଜିଲ୍ଲା ସମେତ ପ୍ରାୟ ୨୨,୦୦୦ ନୂତନ ମାମଲା ରିପୋର୍ଟ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଲୋକଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଭଳି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେଇଛନ୍ତି ଏବଂ ବର୍ତ୍ତମାନର କେନ୍ଦ୍ର ସରକାର “ସବକା ସାଥ, ସବକା ବିକାଶ” ର ପ୍ରତିବଦ୍ଧତା ସହିତ ସ୍ୱାସ୍ଥ୍ୟ ଭିତ୍ତି ଭୂମିକୁ ସୁଦୃଢ଼ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରି କହିଛନ୍ତି ଯେ ୧୩୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ କର୍କଟ ହସ୍ପିଟାଲରେ ସମସ୍ତ ମଞ୍ଜୁର ପଦବୀ ତୁରନ୍ତ ପୂରଣ କରାଯାଉ ଏବଂ ଓଡ଼ିଶାର ଗରିବ ରୋଗୀ ମାନେ ସମୟୋଚିତ, ସୁଗମ ଏବଂ ଗୁଣାତ୍ମକ ଚିକିତ୍ସା ପାନ୍ତୁ ଏଥିସହ ପିଇଟି – ସିଟି ବିକିରଣ ଏବଂ ଆଇସିୟୁ ଭଳି ସେବା ମଧ୍ୟ ତୁରନ୍ତ ଆରମ୍ଭ କରାଯାଉ ବୋଲି ସାଂସଦ ଶ୍ରୀ ପୁରୋହିତ ଦାବୀ କରିଛନ୍ତି।
