ଫାଇନାଲ୍ରେ ଭାରତ, ଶୁକ୍ରବାର ଇଂଲଣ୍ଡ ସହ ଟ୍ରଫି ଟକ୍କର
ହରାରେ: ଚଳିତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ରେ ଭାରତ ଶାନ୍ଦାର ଜିତ ସହ ଫାଇନାଲ୍ରେ ପ୍ରବେଶ କରିଛି। ଶୁକ୍ରବାର ଟ୍ରଫି ପାଇଁ ଭାରତ ଇଂଲଣ୍ଡ ସହ ମୁହାଁମୁହିଁ ହେବ। ଇଂଲଣ୍ଡ ମଙ୍ଗଳବାର ଅଷ୍ଟ୍ରେଲିଆକୁ ୨୭ ରନ୍ରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍ ସ୍ଥାନ ସୁନିଶ୍ଚିତ କରିଥିଲା।ଦ୍ବିତୀୟ ସେମିଫାଇନାଲ୍ରେ ଆଫଗାନିସ୍ତାନ ୩୧୦ ରନ୍ର ଦୃଢ଼ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଭାରତ ଶୀର୍ଷକ୍ରମର ଦମ୍ଦାର ବ୍ୟାଟିଂରେ ୫୩ ବଲ୍ ପୂର୍ବରୁ କେବଳ ୩ ୱିକେଟ୍ ହରାଇ ୩୧୧ ରନ୍ କରି ମ୍ୟାଚ୍ ଜିତିନେଲା। ଏହି ଜିତ ସହ ଭାରତ ଷଷ୍ଠ ଥର ବିଶ୍ବକପ୍ ଖିତାବ ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଲା ଏବଂ ବିଶ୍ବକପ୍ ଇତିହାସର ସର୍ବବୃହତ୍ ସଫଳ ପଶ୍ଚାତ୍ଧାବନ ରେକର୍ଡ ଗଢ଼ିଲା।ପଶ୍ଚାତ୍ଧାବନରେ ବୈଭବ ସୂର୍ଯ୍ୟବଂଶୀ ୨୪ ବଲ୍ରେ ଅର୍ଦ୍ଧଶତକ ସହ ତିବ୍ର ଆରମ୍ଭ କରିଥିଲେ। ଆରୋନ୍ ଜର୍ଜ ଶାନ୍ତ ଓ ସଂୟମିତ ଖେଳରେ ୯୫ ବଲ୍ରୁ ୧୧୫ ରନ୍ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହେଲେ।
ଅଧିନାୟକ ଆୟୁଷ ମହାତ୍ରେ ୬୨ ରନ୍ର ମୂଲ୍ୟବାନ ଅବଦାନ ଦେଇଥିଲେ। ଶେଷରେ ବିହାନ ମାଲହୋତ୍ରା ଓ ବେଦାନ୍ତ ତ୍ରିବେଦୀ ଦଳକୁ ଜୟରେ ପହଞ୍ଚାଇଥିଲେ।ତା’ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଫୈଜଲ ସିନୋଜାଦା (୧୧୦) ଓ ଉଜୈରୁଲା ନିଲାଜାଇ (୧୦୧*)ଙ୍କ ଶତକୀୟ ପାଳିରେ ୫୦ ଓଭରରେ ୩୧୦/୪ ରନ୍ କରିଥିଲା। ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ୍ ଓ କନିଷ୍କ ଚୌହାନ ଦୁଇଟି କରି ୱିକେଟ୍ ନେଇଥିଲେ।ସଂକ୍ଷିପ୍ତ ସ୍କୋର୍:ଆଫଗାନିସ୍ତାନ ୫୦ ଓଭରରେ ୩୧୦/୪ଭାରତ ୪୧.୧ ଓଭରରେ ୩୧୧/୩
ଏବେ ସମସ୍ତଙ୍କ ନଜର ଶୁକ୍ରବାରର ଫାଇନାଲ୍ ଉପରେ, ଯେଉଁଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କଠିନ ସଂଘର୍ଷ ଆଶା କରାଯାଉଛି।
