ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ।
ଗଜପତି,୩୦.୧(ମନୋଜ ପାଢ଼ୀ) ଆର. ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ୨୧ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକକୁ ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ ଜିତ ମିଶ୍ର ଆଭାସୀ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ l ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ.ରବିରତ୍ନ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଆଇସିଏଆର – ଅଟାରି କଲିକତାର ପ୍ରମୁଖ ବୈଜ୍ଞାନିକ ଡ. କଲ୍ୟାଣ ସୁନ୍ଦର ଦାସ, ଆଇସିଏଆର- ସିଆଇଡବ୍ଲୁଏ ର ନିର୍ଦ୍ଦେଶିକା ଡ. ମୃଦୁଳା ଦେବୀ, ଆଞ୍ଚଳିକ ଗବେଷଣା ସଂସ୍ଥା ଜି. ଉଦୟଗିରିର ବୈଜ୍ଞାନିକ ଅନଲାଇନ ମାଧ୍ୟମରେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟପକ୍ଷରୁ ପ୍ରଫେସର ୟୁ. ଏସ. ପାଲ ଓ ଡ. ଉତ୍ତମ କୁମାର ବେହେରା ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ l
କାର୍ଯ୍ୟକ୍ରମ ପ୍ରାରମ୍ଭରେ କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ ବିଗତ ବର୍ଷର କାର୍ଯ୍ୟକ୍ରମ, ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଏବଂ ଆଗାମୀ ବର୍ଷ କାର୍ଯ୍ୟକ୍ରମର ଖସଡ଼ା ବିଷୟରେ ଆଲୋଚନା କରିଥିଲେ l ଏହ କାର୍ଯ୍ୟକ୍ରମରେ କୃଷି ଓ ଆନୁସଙ୍ଗିକ ବିଭାଗର ସମସ୍ତ ଅଧିକାରୀ ତଥା ଜିଲ୍ଲାର ଅଗ୍ରଣି କୃଷକ ଓ କୃଷିଜୀବୀ ମହିଳା ମାନେ ଉପସ୍ଥିତ ରହି ସେମାନଙ୍କ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ l
ଏହି ଅବସରରେ କେନ୍ଦ୍ରର ନିଜସ୍ୱ ପତ୍ରିକା ସବୁଜ ଗିରି ତଥା ଚାରୋଟି ଅନ୍ୟ ଉପାଦେୟ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ଶେଷରେ ଉଦ୍ୟାନ ବିଜ୍ଞାନୀ ଡ଼. ସୁଶ୍ରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତl ବୃନ୍ଦ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ l
