କମ୍ବାଟ ସ୍ପୋର୍ଟସ ଏକାଡେମୀ ଖେଳାଳୀଙ୍କ ଶାନଦାର ସଫଳତାରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୮ଟି ପଦକ ହାସଲ
କୋରାପୁଟ: ସୁନାବେଡା କମ୍ବାଟ ସ୍ପୋର୍ଟସ ଏକାଡେମୀର ଖେଳାଳୀମାନେ ରାଜ୍ୟସ୍ତରୀୟ କମ୍ବାଟ ସ୍ପୋର୍ଟସ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।ଭୁବନେଶ୍ୱରସ୍ଥିତ ରୟାଲ କଲେଜରେ ଆୟୋଜିତ ଖେଲୋ ଇଣ୍ଡିଆ ରାଜ୍ୟ ସିଟି ଲିଗ୍ ଏବଂ ୧୯ତମ ଓଡ଼ିଶା ରାଜ୍ୟ ୱୁଶୁ ଚାମ୍ପିୟନଶିପରେ ସୁନାବେଡା କମ୍ବାଟ ସ୍ପୋର୍ଟସ ଏକାଡେମୀର ୧୪ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ୧୮ଟି ପଦକ ଅର୍ଜନ କରିଥିଲେ।ଏହି ପଦକମାନଙ୍କ ମଧ୍ୟରେ ୬ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ରହିଛି ବୋଲି ଏକାଡେମୀର ସାଧାରଣ ସମ୍ପାଦକ ତଥା କୋଚ ମିଥୁନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।ପଦକ ଜୟ କରିଥିବା ଖେଳାଳୀମାନେ ହେଲେ ମୟନ ବାଘ, ଆର. ପଦ୍ମା, ପ୍ରତ୍ୟୁଷ ପ୍ରଧାନ, ସଂକଳ୍ପ ଜୟସ୍ୱାଲ, ଆଦେଶ ସୁନା, ଦିବ୍ୟଜ୍ୟୋତି ପରିଜା, ମନୀଷ ଖିଲୋ, ଦେବାଂଶ ମିଶ୍ର, ସ୍ପନ୍ଦନ ଆଚାର୍ଯ୍ୟ, ଭାର୍ଗବୀ ପ୍ରିୟଦର୍ଶିନୀ, କଲ୍ୟାଣମୟୀ ତନ୍ତୀ, ସୁନାଲିସା ଦେହୁରୀ, ଶ୍ରୀ, ଶ୍ୟାମ ବାଘ ଏବଂ ହରିଓମ ବେହେରା।ଆଜି ପଦକ ବିଜେତା ଖେଳାଳୀମାନେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ସାକ୍ଷାତ୍ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ମହାଜନ ସମସ୍ତ ଖେଳାଳୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିଥିଲେ।ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ମନୀଷ ଖିଲୋ ଆଗାମୀ ଦିନରେ ଓଡ଼ିଶା ଓ କୋରାପୁଟ ଜିଲ୍ଲାର ସମ୍ମାନ ବଢ଼ାଇବାକୁ ନିଜ ଲକ୍ଷ୍ୟ ଧାରଣ କରିଛନ୍ତି।
