ରାଉରକେଲା ବିମାନ ଦୁର୍ଘଟଣା: ଡିଜିସିଆଇର ୫ ଜଣିଆ ଟିମ ତଦନ୍ତ ଆରମ୍ଭ
ରାଉରକେଲା: ନିକଟରେ ଘଟିଥିବା ବିମାନ ଦୁର୍ଘଟଣାକୁ ନେଇ ତଦନ୍ତ ଜୋରଦାର କରାଯାଇଛି। ଡିଜିସିଆଇ (DGCA)ର ୫ ଜଣିଆ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି।ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସାମଗ୍ରିକ ତତ୍ତ୍ୱାବଧାନରେ ବାଣିଜ୍ୟ ଏବଂ ପରିବହନ ବିଭାଗ ସହ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାର ପକ୍ଷରୁ ଭାରତ ସରକାର, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିମାନ କମ୍ପାନୀ ସହ ନିରବଚ୍ଛିନ୍ନ ସହଯୋଗ ଓ ସମନ୍ୱୟ ରଖାଯାଉଛି, ଯାହା ଦ୍ୱାରା ତ୍ୱରିତ ଏବଂ ପ୍ରଭାବଶାଳୀ ପ୍ରତିକ୍ରିୟା ସୁନିଶ୍ଚିତ ହେଉଛି।
ରୋଗୀମାନଙ୍କୁ ସମୟମଧ୍ୟରେ ମୂଲ୍ୟାଙ୍କନ ଓ ଚିକିତ୍ସା ଯୋଗାଇବାକୁ ତଦନ୍ତ ଦଳ ଏବଂ ବିଶେଷଜ୍ଞ ଡାକ୍ତରମାନଙ୍କ ଉପଲବ୍ଧତା ତ୍ୱରାନ୍ୱିତ କରାଯାଇଛି। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ବ୍ୟାପକ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛନ୍ତି। ତଦନ୍ତ ଦଳ ଓ ବରିଷ୍ଠ ଡାକ୍ତରମାନଙ୍କୁ ରାଉରକେଲାକୁ ଆଣିବା ପାଇଁ ଏକ ରାଜ୍ୟ ହେଲିକପ୍ଟର ନିୟୋଜିତ କରାଯାଇଛି।
ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅଧିକାରୀମାନେ ରାଉରକେଲାରେ କ୍ୟାମ୍ପ କରି ଜିଲ୍ଲା ପ୍ରଶାସନକୁ ସମସ୍ତ ଆବଶ୍ୟକୀୟ ଭୂମିଗତ ସହାୟତା ଯୋଗାଉଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ସାମଗ୍ରିକ ସମନ୍ୱୟ ଏବଂ ତଦାରଖ ଦାୟିତ୍ୱରେ ରହିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
