କୋଟିଆ ଓଡ଼ିଶାର ଅଂଶ, ଆନ୍ଧ୍ର ଅଧିକାରୀ ପ୍ରବେଶ କଲେ ବନ୍ଧା ହେବେ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ବର:କୋଟିଆ କାଲି ବି ଓଡ଼ିଶାର ଥିଲା, ଆଜି ବି ଓଡ଼ିଶାର ଅଅଂଶ ହୋଇ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କୋଟିଆ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶର କୌଣସି ଅଧିକାରୀ ପ୍ରବେଶ କଲେ ତାଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ କହିଛନ୍ତି ଯେ କୋଟିଆ ସୀମା ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ସହ ଆଲୋଚନା କରାଯିବ।
ସେହିପରି କୋଟିଆ ଲୋକଙ୍କ ହୃଦୟ ଜିଣିବା ପାଇଁ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଦ୍ରୁତ ଓ ସୁଚାରୁ ଭାବେ ରୂପାୟଣ କରିବାକୁ ପରାମର୍ଶ ଦେଇଛନ୍ତି।ବୈଠକରେ ଜଣାପଡ଼ିଛି ଯେ କୋରାପୁଟ ଉପଜିଲ୍ଲାପାଳ କୋଟିଆର ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଜଣେ ଓଏଏସ୍ ଅଧିକାରୀଙ୍କୁ ଓଏସ୍ଡି ଭାବେ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି।‘ବିକଶିତ କୋଟିଆ’ ଯୋଜନା ଅଧୀନରେ ମହିଳା ଓ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ନିୟମ କୋହଳ କରିବା ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ସୁବିଧା ଯୋଗାଇବା ଉପରେ ଆଲୋଚନା ହୋଇଛି।
ଆଗାମୀ ଶିକ୍ଷାବର୍ଷ ପୂର୍ବରୁ କୋଟିଆରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ନିର୍ମାଣ କାମ ସରିବା ସହ ଗଞ୍ଜେଇପଦର ଓ ଦେଓମାଳି ଜଗନ୍ନାଥ ମନ୍ଦିରର ନବୀକରଣ କାର୍ଯ୍ୟ ହେବ ବୋଲି ମନ୍ତ୍ରୀ ଜଣାଇଛନ୍ତି।
