ଡିସେମ୍ବର ୧୩ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ l
ରାୟଗଡ:-ତା. ୦୫/୧୨-ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ଡିସେମ୍ବର ୧୩ ତାରିଖ ରେ ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ପରିସରରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେବ l ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ସାଲିସଯୋଗ୍ୟ ଫୌଜଦାରୀ ଓ ଦେୱାନୀ ମାମଲା, ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ଆଦି ବିଚାରଧିନ ମାମଲାର ଆପୋସ ବୁଝାବଣା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି l କେବଳ ବିଚାରଧୀନ ମାମଲା ନୁହେଁ, ପ୍ରାକ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ସାଲିସ ଯୋଗ୍ୟ ଫୌଜଦାରୀ ଓ ଦେୱାନୀ ମାମଲା ଆଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ କହିଛନ୍ତି l ଏହି ଲୋକ ଅଦାଲତରେ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ l ତେଣୁ ଇଛୁକ ପକ୍ଷ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଛନ୍ତି l
