ଅଡବାରେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଡେଙ୍ଗୁ ଓ ଝାଡାବାନ୍ତି ବ୍ୟାପିବା ଆଶଙ୍କା
ଗଜପତି, 24/11(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଅଡବା ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ଓ ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ଜମା ହୋଇ ମଶାମାଛିଙ୍କ ଉପଦ୍ରବ ବିଶେଷ ଭାବେ ବଢ଼ି ଚାଲିଛି. ତେଣୁ ଝାଡା, ବାନ୍ତି ଓ କେତେକ ଅଜଣା ରୋଗ ବ୍ୟାପିଵାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ଅଡବା ଗ୍ରାମ ଦେଇ ଗଂଜାମ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାକୁ ପ୍ରତେକ ଦିନ ଶହ ଶହ ସଂଖ୍ୟାରେ ବସ୍, ଟ୍ରକ, ଚାରିଚକିଆ ଯାନ ଆଦି ଯାତାୟାତ ହୋଇଥାଏ. ଏଠାକାର ଶୌଚାଳୟ ତାଲା ପଡିଥିବାରୁ ଯାତ୍ରୀମାନେ ବାହାରେ ଏଣେତେଣେ ପରିଶ୍ରା କରିବାକୁ ବାଧ୍ଯ ହୋଇଥାନ୍ତି। ତେଣୁ ଅଂଚଳବାସୀ ଶୌଚାଳୟ ଖୋଲିବାକୁ ଦାବୀ କରିଛନ୍ତି। ଗତ ଗାନ୍ଧୀ ଜୟନ୍ତୀ ଦିବସରେ ସ୍ୱଚ୍ଛ ଭାରତ ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ଏହିଭଳି ଅବ୍ୟବସ୍ଥା ଦେଖାଦେଇଛି।ପରନ୍ତୁ ସେହି ଅଂଚଳରେ ପାଣି ଜମା ହୋଇଥିବାରୁ ମ୍ୟାଲେରିଆ, ଡେଂଗୁ ଝାଡାବାନ୍ତି ବ୍ୟାପିବାର ଆଶଂକା ରହିଛି। ସରପଂଚ, ଓ୍ୱାର୍ଡ ମେମ୍ବର ମାନଙ୍କର ଏ ଦିଗରେ ପ୍ରତିକାର ପାଇଁ ସେମାନଙ୍କ ଦାଯିତ୍ବର ଅବହେଳା ଅନୁଭବ ହୋଇଛି।
