ଦିନ ଦ୍ବିପହରରେ ଚୋରୀ କରୁଥିବା ସମୟରେ ଧରାପଡିଲେ ୨ ଦୁର୍ବୃତ୍ତ, ସୁନା, ରୂପା ଓ ଟଙ୍କା ଜବତ ।

ଦିନ ଦ୍ବିପହରରେ ଚୋରୀ କରୁଥିବା ସମୟରେ ଧରାପଡିଲେ ୨ ଦୁର୍ବୃତ୍ତ, ସୁନା, ରୂପା ଓ ଟଙ୍କା ଜବତ ।

ଦିନ ଦ୍ବିପହରରେ ଚୋରୀ କରୁଥିବା ସମୟରେ ଧରାପଡିଲେ ୨ ଦୁର୍ବୃତ୍ତ, ସୁନା, ରୂପା ଓ ଟଙ୍କା ଜବତ ।

ଗଜପତି 21/11 (ମନୋଜ ପାଢ଼ୀ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦ୍ୱାରା ଦୁଇ ଦୁର୍ବୃତ୍ତ ଚୋରୀ କରୁଥିବା ସମୟରେ ଧରାପଡିଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସୂଚନା ପ୍ରକାରେ ରାଣୀପେଣ୍ଠ ଗ୍ରାମ ସିଂହ ନଗର ଅଞ୍ଚଳର କର୍ଣ୍ଣମ ସିଂହାଦ୍ରି (୪୩) ନାମକ ଜଣେ ଅଟୋ ଚାଳକ ନିଜ ଘରେ କେହି ନଥିବାଯୋଗୁଁ ତାଲା ପକାଇ କାମରେ ବାହାରିଥିଲେ । ସେ ସମୟରେ ତାଙ୍କ ସ୍ତ୍ରୀ ଏକ ଘରୋଇ ବିଦ୍ୟାଳୟରେ କାମ କରୁଥିବା ଯୋଗୁଁ ସେ ଡ୍ୟୁଟି ରେ ଥିଲେ ଏବଂ ତାଙ୍କ ଛୁଆମାନେ ମଧ୍ୟ ସ୍କୁଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ମଧ୍ୟାହ୍ନ ସମୟରେ ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରି ଦ୍ୱାର ଓ ଆଲମୀରା ଭାଙ୍ଗି ଚୋରି କରିଥିଲେ । ପ୍ରାୟ ଅଧାଘଣ୍ଟା ପରେ ସିଂହାଦ୍ରି ଘରକୁ ଫେରି ଆସିଥିଲେ । ତାଲା ଭଙ୍ଗାଯାଇଥିବା ଦେଖି କାଳବିଳମ୍ବ ନକରି ସେ ଚୋରି ସନ୍ଦେହ କରି ଚିତ୍କାର କରି ଥିଲେ । ଇତି ମଧ୍ୟରେ ଦୁର୍ବୃତ୍ତ ଦ୍ବୟ ସେ ସମୟରେ ଘରଭିତରେ ଥିଲେ । ସିଂହାଦ୍ରିଙ୍କ ଚିତ୍କାର ଶୁଣି ଦୁଇ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିଥିଲେ । ଚିତ୍କାର ଶୁଣି ଏହି ସମୟରେ ସାହି ପଡ଼ୋଶୀ ଲୋକମାନେ ଜମାହୋଇ ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ୍ ଦଳ ପହଞ୍ଚି ଗ୍ରାମବାସୀଙ୍କ ସାମ୍ନାରେ ଘର କବାଟ ଖୋଲି ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଧରିଥିଲେ । ଘଟଣାସ୍ଥଳରେ ସେମାନଙ୍କ ଠାରୁ 3 ତୋଳା ସୁନା ଆଭୂଷଣ, 10 ତୋଳା ଚାନ୍ଦି ଆଭୂଷଣ, ନଗଦ ରାଶି 20 ହଜାର ଟଙ୍କା ଚୋରି ସାମଗ୍ରୀ ଜବତ କରାଯାଇଥିଲା । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 331/25ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ବେଳେ ଅଭିଯୁକ୍ତ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କଲୋନୀର ମଙ୍ଗଳମ୍ ଚେଣ୍ଟି (27) ଏବଂ ଦୋଳବନ୍ଧ ସାହିର ଏନ୍. ନାଗାରାନୁ (31) ଏବଂ ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରାଯାଇଥିବା ନଗଦ ରାଶି ସମେତ ସୁନା ଓ ରୂପା ସାମଗ୍ରୀର ମୂଲ୍ୟ ପ୍ରାୟ 4ଲକ୍ଷ 70 ହଜାର ଟଙ୍କା ହେବ ବୋଲି ଥାନା ସୂତ୍ରରୁ ଜଣାପଡିଛି । ତେବେ ଅଭିଯୁକ୍ତ ମଙ୍ଗଳମ୍ ଚେଣ୍ଟି 8 ଗୋଟି ଚୋରୀ ମାମଲାରେ ସମ୍ପୃକ୍ତ ଥିବାର ସୂଚନା ପ୍ରଦାନ କରାଯାଇଛି ।