ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବାରୁ ଗଛ ତଳେ ବସି ପାଠ ପଢ଼ୁଥିଲେ କୋମଳ ମତି ଛାତ୍ରଛାତ୍ରୀ।
ଗଜପତି(ମନୋଜ ପାଢ଼ୀ )ଏଭଳି ଏକ ସମ୍ବେଦନଶୀଳ ଖବର ରେ ପ୍ରସାରିତ ହେବା ପରେ ଘଟଣା ନେଇ ହସ୍ତକ୍ଷେପ କରିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ ସୀତା ପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀବିଷ୍ଣୁପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଥିଲା ଏହି ଦୃଶ୍ୟ। ଶ୍ରେଣୀ ଗୃହ ନଥିବାରୁ ପାଠପଢାରେ ଅସୁବିଧା ସୃଷ୍ଟି ହେଉଥିଲା। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର ରାଓ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା। ଶେଷରେ ବିଧାୟକଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟରେ ଦୁଇଟି ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଅନୁଦାନ ମଞ୍ଜୁର ହୋଇଛି। ଅନୁଦାନ ମଞ୍ଜୁର ହେବା ପରେ ବିଦ୍ୟାଳୟର ଶ୍ରେଣୀ ଗୃହ ଅଭାବ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି। ଉକ୍ତ ଦୁଇଟି ଶ୍ରେଣୀ ଗୃହ ତ୍ୱରିତ ନିର୍ମାଣ ନିମନ୍ତେ ନିଜେ ବିଧାୟକ ବିଦ୍ୟାଳୟରେ ପହଞ୍ଚି ଶ୍ରେଣୀ ଗୃହ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଯଥାଶୀଘ୍ର ଏହି ଶ୍ରେଣୀ ଗୃହ ଦୁଇଟି ନିର୍ମାଣ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବରୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବାରୁ ବର୍ଷା ହେଲେ ପାଠପଢ଼ା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଛାତ୍ରଛାତ୍ରୀ। ବାଧ୍ୟ ହୋଇ ଗଛ ତଳେ ଶିକ୍ଷାଦାନ କରୁଥିଲେ ଶିକ୍ଷକ ଶିକ୍ଷୟିତ୍ରୀ। ଶିକ୍ଷାର ବିକାଶ ନିମନ୍ତେ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଥିବା କହୁଥିବା ବେଳେ ଏଠି ବିଦ୍ୟାଳୟର ବିକାଶ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଫଳରେ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇ ଆସୁଥିଲା। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇ ପାରିଥିବାରୁ ଅବିଭାବକ ଓ ଅଞ୍ଚଳବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି।
