*ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ୪ ଅଟକ ।
ଗଜପତି,୧।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ରାଣୀପେଣ୍ଠ ଛକ ନିକଟସ୍ଥ ମୁଖ୍ୟ ରାସ୍ତାରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଉପଦ୍ରବ ସୃଷ୍ଟି କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଅଟକ ରଖାଯାଇଛି।ଅଟକ ବ୍ୟକ୍ତିମାନେ ହେଲେ ରାଣୀପେଣ୍ଠ ଅଞ୍ଚଳର କେ. ୟାଦଗିରି (୨୩), କେ. ପବନ (୨୪), ଏସ୍. ଶିବା କୁମାର (୨୭) ଓ ପି. ଦିଲୀପ କୁମାର (୨୫)। ପୋଲିସ ପକ୍ଷରୁ ସେମାନଙ୍କର ଡାକ୍ତରୀ ପରୀକ୍ଷା ସହ ବ୍ରେଥ୍ ଆନାଲାଇଜର୍ ପରୀକ୍ଷା ମଧ୍ୟ କରାଯାଇଥିଲା। ପରୀକ୍ଷାରେ ସେମାନେ ମଦ୍ୟପାନ କରିଥିବା ନିଶ୍ଚିତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ବ୍ୟକ୍ତିଗତ ବଣ୍ଡ ନିଆଯାଇ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୨ ଅନୁଯାୟୀ ସକ୍ଷମ ଅଦାଲତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୋସିକ୍ୟୁସନ୍ ରିପୋର୍ଟ ଦାଖଲ କରାଯାଇଛି।ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଶାନ୍ତିଶୃଙ୍ଖଳା ଭଙ୍ଗକରିବା ଓ ଜନସାଧାରଣଙ୍କୁ ଅସୁବିଧା ସୃଷ୍ଟି କରିବା ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଆଦର୍ଶ ଥାନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥି ସହିତ ସହରର ପ୍ରମୁଖ ଛକ ଓ ସର୍ବସାଧାରଣ ସ୍ଥାନଗୁଡ଼ିଛକରେ ନିୟମିତ ଭାବରେ ରାତ୍ରି କାଳୀନ ପାଟ୍ରୋଲିଂକୁ ମଧ୍ୟ ଜୋରଦାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
