*ରାଷ୍ଟ୍ରୀୟ ଏକତା ଦିବସରେ କିଟୁମ୍ବା ଗ୍ରାମରେ ଆଇନ ସଚେତନତା ଶିବିର ସହିତ ୧୪ ଜଣଙ୍କୁ ଶ୍ରମିକ କାର୍ଡ ବଣ୍ଟନ* ।ଗଜପତି,୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗତ ୩୧ ତାରିଖ ଅପରାହ୍ନରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗୁମ୍ମା ବ୍ଲକର କିଟୁମ୍ବା ଗ୍ରାମରେ ଆଇନ ସଚେତନତା କାର୍ଯ୍ୟକ୍ରମ ଓ ଏକତାର ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜାତୀୟ ଏକତା, ସାମାଜିକ ସଦ୍ଭାବନା, ଯୌତୁକ ନିର୍ଯାତନା, ବାଲ୍ୟ ବିବାହ ନିଷେଧ ଆଇନ, ବିପର୍ଯ୍ୟୟ ପୀଡ଼ିତଙ୍କୁ ଆଇନ ସହାୟତା ଏବଂ ସ୍ଥାୟୀ ଲୋକ ଅଦାଲତର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁରଥ ସ୍ୱାଇଁ, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶଶାଙ୍କ ଶେଖର ସାହୁ, ସହକାରୀ ଶ୍ରମ ଅଧିକାରୀ କାଳୁ ରାଉତ, ସମାଜସେବୀ ଲିଙ୍ଗରାଜ ପାଣିଗ୍ରାହୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ପାରା ଲିଗାଲ୍ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଆଇନଗତ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ବୁଝାଇଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚାଲିଥିବା ମେଗା ଡ୍ରାଇଭ୍ର ଉଦ୍ଯାପନୀ ଶିବିର ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହଯୋଗରେ ୧୪ ଜଣ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।
ଗରିବ ଓ ଅସହାୟ ଲୋକଙ୍କ ନିକଟରେ ମାଗଣା ଆଇନ ସହାୟତା ଓ ସରକାରୀ କଲ୍ୟାଣକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
