ରାମନାଗୁଡା ବ୍ଲକ ପ୍ରଶାସନର ଅଭିନବ ପ୍ରୟାସ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର “SIR ଆସୁଛନ୍ତି” ଉନ୍ମୋଚିତ
ରାୟଗଡ( info media)ରାୟଗଡ଼ ଜିଲ୍ଲା ରାମନାଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ଶୃଙ୍ଖଳିତ କରିବା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପ୍ରଶାସନିକ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଷୁଦ୍ର ଚଳଚ୍ଚିତ୍ର “SIR ଆସୁଛନ୍ତି” ପ୍ରସ୍ତୁତ କରାଯାଇ ଏହାକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ପ୍ରଚେଷ୍ଚା ରେ ଯୁବ ଲେଖକ ରୂପେଶ ସାହୁ ଏହି କ୍ଷୁଦ୍ର ଚଳଚ୍ଚିତ୍ରର ସୁନ୍ଦର କାହାଣୀ ରଚନା କରିବା ସହ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଛନ୍ତି। ଚଳଚ୍ଚିତ୍ରଟି ମାଧ୍ୟମରେ ପ୍ରଶାସନିକ ଅଧିକାରୀମାନଙ୍କର ଗ୍ରାମାଞ୍ଚଳ ଗସ୍ତ, ସରକାରୀ କାର୍ଯ୍ୟର ସମୀକ୍ଷା ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା କିଭଳି ସହଜରେ ଲୋକଙ୍କ ସମସ୍ୟାର ସମାଧାନ କରୁଛି, ତାହାକୁ ଅତି ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି।ଏହି କ୍ଷୁଦ୍ର ଚଳଚ୍ଚିତ୍ରର ଅନ୍ୟ ଏକ ସ୍ୱତନ୍ତ୍ରତା ହେଉଛି ଯେ, ଏଥିରେ କୌଣସି ବାହାର କଳାକାର ନୁହଁନ୍ତି ବରଂ ସ୍ଥାନୀୟ ଅଧିକାରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ଶିକ୍ଷକ ଶିଶିର ପଣ୍ଡା, ରମେଶ ମିଶ୍ର ଏବଂ ଉଦ୍ୟାନ କୃଷି ବିଭାଗର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଏଥିରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଛନ୍ତି।ବ୍ଲକର ଅଧିକାରୀ, ଶିକ୍ଷକ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ନିର୍ମିତ ଏହି ସଚେତନତାଧର୍ମୀ ଚଳଚ୍ଚିତ୍ରକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି। କେବଳ ସରକାରୀ କାଗଜପତ୍ର ମଧ୍ୟରେ ସୀମିତ ନରହି, ଏଭଳି ଦୃଶ୍ୟଶ୍ରାବ୍ୟ ମାଧ୍ୟମ ବ୍ୟବହାର କରି ଲୋକଙ୍କ ନିକଟତର ହେବାର ଏହି ଅଭିନବ ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛି।”ଏହି କ୍ଷୁଦ୍ର ଚଳଚ୍ଚିତ୍ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସଫଳ କରିବାରେ ଏବଂ ଲୋକଙ୍କ ମଧ୍ୟରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବାରେ ବେଶ୍ ସହାୟକ ହେବ,” ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ କହିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
