*ମୋହନାରେ ବାଟବଣା ସ୍ୱଚ୍ଛ ଭାରତ ଅଭିଯାନ, ଅଳିଆ ଆବର୍ଜନାରେ ଭରି ନାରାୟଣ ନଗର ।
ଗଜପତି,୧୯.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଜପତି ଜିଲ୍ଲାର ମୋହନାସ୍ଥିତ ନାରାୟଣ ନଗରରେ କିନ୍ତୁ ଏହାର ବାସ୍ତବ ଚିତ୍ର ଭିନ୍ନ ଦେଖିବାକୁ ମିଳୁଛି।ନାରାୟଣ ନଗର ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦୀର୍ଘଦିନ ଧରି ପଡ଼ି ରହିବା ଫଳରେ ଅଞ୍ଚଳର ପରିବେଶ ଦୂଷିତ ହେବା ସହ ଦୁର୍ଗନ୍ଧ ଓ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ଦେଖାଦେଇଛି। ଏନେଇ ସ୍ଥାନୀୟ ଜନସାଧାରଣ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଆବର୍ଜନା ସଫା କରିବା ଦିଗରେ ପ୍ରଶାସନର ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।ସ୍ୱଚ୍ଛତା କେବଳ ସ୍ଲୋଗାନ ଓ ସଚେତନତା କାର୍ଯ୍ୟକ୍ରମରେ ସୀମିତ ନରହି ତାହାର ବାସ୍ତବ ରୂପାୟନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି।ତେଣୁ ନାରାୟଣ ନଗର ରାସ୍ତାକଡ଼ରେ ଜମି ରହିଥିବା ଆବର୍ଜନାକୁ ତୁରନ୍ତ ସଫା କରିବା ସହ ନିୟମିତ ପରିମଳ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଆସୁଥିବା ଅନୁଦାନ ବର୍ଷ ବର୍ଷ ଧରି ଖର୍ଚ୍ଚ ହୋଇପାରୁନାହିଁ। ଏଥି ପ୍ରତି ପ୍ରଶାସନ ଦାୟିତ୍ବବାନ ହେବା ସହ ନିୟମିତ ଭାବେ ସଫେଇ କାର୍ଯ୍ୟକୁ ଜାରି ରଖିବାକୁ ଜନସାଧାରଣ ଦାବି ଜଣାଇଛନ୍ତି।
