*ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳିତ ।
ଗଜପତି,୨୦.୯(ମନୋଜ ପାଢ଼ୀ :-(ରାଜେନ୍ଦ୍ର କୁମାର ରଥଙ୍କ ରିପୋର୍ଟ) ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ, ପାରଳାଖେମୁଣ୍ଡି, ଗଜପତି ଶାଖା ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଉତ୍ସବ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ସାହିତ୍ୟ, ଭାଗବତ ପରମ୍ପରା ଓ ଓଡ଼ିଆ ଜନଜୀବନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ସଂସଦର ସଦସ୍ୟାମାନେ ସମବେତ ଭାଗବତ ପାଠ କରିଥିଲେ। ଶ୍ରୀ ଶଶିଭୂଷଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ସଂସଦର ସମ୍ପାଦକ ଶ୍ରୀ ସରୋଜ କୁମାର ପଣ୍ଡା ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟା ତଥା ଅବସରପ୍ରାପ୍ତ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଯୋଗଦେଇ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୀବନୀ ଓ ଓଡ଼ିଆ ଭାଗବତର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ‘ଉପାନ୍ତ ପ୍ରହରୀ’ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କ ବକ୍ତବ୍ୟରେ ସମସ୍ତେ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ପାଠ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ବର୍ତ୍ତମାନ ସମାଜରେ ଅସ୍ଥିରତା ବୃଦ୍ଧି ପାଉଛି, ତେଣୁ ସମସ୍ତେ ଭାଗବତ ପଠନ କରି ଜୀବନରେ ତାର ମୂଲ୍ୟବୋଧକୁ ଆପଣାଇବାର ସମୟ ଆସିଛି ବୋଲି ପ୍ରକାଶ କରିଥିଲେ। ଏଥି ସହିତ ଗାଁ ଗାଁରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର କରିବାକୁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ରହିଛି ବୋଲି କହିଥିଲେ। ବକ୍ତା ପଣ୍ଡିତ ଶ୍ରୀ କୁମୁଦ ରଞ୍ଜନ ଦାଶ ଅତିବଡ଼ି ଜଗନ୍ନାଥ ଦାସଙ୍କ ସାହିତ୍ୟ, ଭାଗବତ ପରମ୍ପରା ଓ ଓଡ଼ିଆ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ନିଜ ଅଭିଭାଷଣରେ ଜଗନ୍ନାଥ ଦାସଙ୍କ ଜୀବନୀ, ଭାଗବତ ଓ ଭାଗବତ ଟୁଙ୍ଗୀର ସୁପ୍ରଭାବ ଅତୀତରେ ସାମାଜିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ରହୁଥିଲା ବୋଲି ବର୍ଣ୍ଣନା କରିଥିଲେ।ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ଓ ସଂଯୋଜନା ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ଓ ଭାଗବତ ଆବୃତ୍ତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ଓ ଶ୍ରୀ ରାଜେନ୍ଦ୍ର ପଢିଆରୀ ପରିଚାଳନା କରିଥିଲେ।ଶେଷରେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଅତିଥିବୃନ୍ଦ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଅତିବଡ଼ ଜଗନ୍ନାଥ ଦାସଙ୍କ ସାହିତ୍ୟିକ ଓ ଆଧ୍ୟାତ୍ମିକ ଅବଦାନକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧିରେ ଏହି ଉତ୍ସବ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସାହିତ୍ୟ ପ୍ରେମୀମାନେ ମତ ପ୍ରକାଶ କରିଥିଲେ।
