ବେଆଇନ ବାଲି ଖନନ ଏବଂ ପରିବହନ ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ।
ଗଜପତି (ମନୋଜ ପାଢ଼ୀ)ବେଆଇନ ବାଲି ଖନନ ଏବଂ ପରିବହନ ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ୦୩.୦୬.୨୦୨୬ ତାରିଖ ସନ୍ଧ୍ୟାରୁ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନ ସମୟରେ ଏକ ସଂଗଠିତ ବାଲି ଚୋରା ଚାଲାଣ ଚକ୍ରର ସନ୍ଧାନ ମିଳିଥିବା ବେଳେ ବାଲି ବୋଝେଇ ୭ଟି ଗାଡ଼ି (ଟ୍ରାକ୍ଟର ଏବଂ ଭାରୀ ଟିପର) ଜବତ କରାଯାଇଛି। ପୋଲିସ ଟିମ୍ ରାଜ୍ୟ ରାଜପଥ-୪ ଉପରେ ଏହି ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବେଆଇନ ଭାବରେ ବାଲି ଉତ୍ତୋଳନ, ରୟାଲଟି ଏବଂ ଟିକସ ଫାଙ୍କି, ଜାଲିଆତିପୂର୍ଣ୍ଣ ଚାଲାଣ ବ୍ୟବହାର, ଓଭରଲୋଡିଂ ଏବଂ ସରକାରୀ ଖଣିଜ ସମ୍ପତ୍ତି ଚୋରି କରି ପରିବହନ କରାଯାଉଥିଲା । ଏହା ଦ୍ୱାରା ସରକାରଙ୍କ ରାଜସ୍ୱର ବ୍ୟାପକ କ୍ଷତି ହେଉଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ-୧୯୯, ୨୦୦, ୨୦୧, ୨୦୨, ୨୦୩, ୨୦୪, ୨୦୫ ଏବଂ ୨୦୬/୨୦୨୬ ରୁଜୁ କରାଯାଇଛି। ଏହି ମାମଲାଗୁଡ଼ିକରେ ମୋଟ ୧୩ ଜଣ ବ୍ୟକ୍ତି, ଯଥା ଗାଡ଼ି ମାଲିକ, ଚାଳକ ଏବଂ ବାଲି ପରିବହନ ସହିତ ସଂପୃକ୍ତ ଅନ୍ୟାନ୍ୟ ବ୍ୟକ୍ତି ଜଡ଼ିତ ଥିବା ଜଣାପଡ଼ିଛି । ଟ୍ରାକ୍ଟର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଚାଳକ ସୁରେଶ ସବର ଓ ମାଲିକ ଏସ୍. ବିଜୟ କୁମାର, ଚାଳକ ଦିନେଶ ଗୌଡ଼ ଓ ମାଲିକ ଏସ୍. ବିଜୟ କୁମାର, ଏବଂ ଚାଳକ ପ୍ରକାଶ ଗୌଡ଼ ଓ ମାଲିକ ଦିବାକର ଗୌଡ଼ଙ୍କୁ ଆଜି ମାନ୍ୟବର ନ୍ୟାୟାଳୟକୁ ଚାଲାଣ କରାଯାଉଛି । ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ବେଆଇନ ବାଲି ଖନନ ଏବଂ ପରିବହନ କାର୍ଯ୍ୟକଳାପ ଏକ ସଂଗଠିତ ଚକ୍ର ମାଧ୍ୟମରେ ଚାଲିଥିଲା ଏବଂ ଏଥିରୁ ବେଆଇନ ଆର୍ଥିକ ଲାଭ ହାସଲ କରାଯାଉଥିଲା। ଏହି ଚକ୍ର ସହିତ ସଂପୃକ୍ତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଭୂମିକା ଓ ସଂପୃକ୍ତି ସମ୍ପର୍କରେ ତଦନ୍ତ ଜାରି ରହିଛି । ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବେଆଇନ ଖଣିଜ ଖନନ, ଚୋରା ଚାଲାଣ ଏବଂ ପରିବହନରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ବର୍ତ୍ତମାନ ମାମଲାଗୁଡ଼ିକର ତଦନ୍ତ ଚାଲୁ ରହିଛି।
