*ବାତ୍ୟା ମୁକାବିଲା ପାଇଁ ଗଜପତି ଜିଲ୍ଲା ଦାୟିତ୍ୱରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଜୟ କୁମାର ଦାଶ*
ଗଜପତି, ୨୬।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଏହାର ପ୍ରଭାବ ପରେ ରିଲିଫ୍, ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ୫ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏଥିରେ ଗଜପତି ଜିଲ୍ଲାର ଦାୟିତ୍ୱ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଜପତିର ପୂର୍ବତନ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କୁ ଦିଆଯାଇଛି।୨୫ ଅକ୍ଟୋବର ୨୦୨୬ରେ ଜାରି ସରକାରୀ କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ କୁମାର ଦାଶ ଗଜପତି ଜିଲ୍ଲା ପ୍ରଶାସନକୁ ବାତ୍ୟା ପୂର୍ବ ପ୍ରସ୍ତୁତି ଏବଂ ବାତ୍ୟା ପରବର୍ତ୍ତୀ ରିଲିଫ୍, ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିବେ।
ଯେହେତୁ ସେ ଜିଲ୍ଲାରେ ପୂର୍ବରୁ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ ତେଣୁ ତାଙ୍କର ପୂର୍ବ ଅନୁଭୂତି ଅନୁଯାୟୀ ଜିଲ୍ଲାରେ ସଫଳତାର ସହ ବିପର୍ଯ୍ୟୟ ପରିଚାଳନାରେ ସହଯୋଗ କରିପାରିବେ ବୋଲି ଆଶା କରାଯାଉଛି।ତାଙ୍କୁ ତୁରନ୍ତ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ସମେତ ଦକ୍ଷିଣ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ପ୍ରଶାସନିକ ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରାଯାଉଛି।
ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ସୁରକ୍ଷା, ଜରୁରୀକାଳୀନ ସହାୟତା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁନିଶ୍ଚିତ କରିବା ଏହି ନିଯୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।।ଗଜପତି ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷାଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
