*ବରିଷ୍ଠ ପ୍ରଶାସକ ସଂଗ୍ରାମ ମହାପାତ୍ରଙ୍କ ‘ଗଳ୍ପ ସମଗ୍ର’ ପୁସ୍ତକର ଅନୁବାଦିତ ସଂସ୍କରଣ “ଜୀବନ ସଂଗ୍ରାମମ୍” ଲୋକାର୍ପଣ ଉତ୍ସବ ଅନୁଷ୍ଠିତ।
ଗଜପତି,୧.୭(ମନୋଜ ପାଢ଼ୀ)-: ବରିଷ୍ଠ ପ୍ରଶାସକ ତଥା ଲେଖକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜୀବନ ସଂଘର୍ଷ, ଅନୁଭୂତି ଓ କର୍ମମୟ ଜୀବନକୁ ଆଧାର କରି ରଚିତ ‘ଗଳ୍ପ ସମଗ୍ର’ ପୁସ୍ତକର ଅନୁବାଦିତ ସଂସ୍କରଣର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଗଜପତି ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର ଅଟେ ।ଆଜି ଏହି ସାଂସ୍କୃତିକ ରାଜଧାନୀର ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି।ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଦକ୍ଷିଣ ଓ ଉତ୍ତରାଞ୍ଚଳ ରାଜସ୍ଵ କମିଶନର ଭାବେ ଅଧୁନା କାର୍ଯ୍ୟରତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ରଚିତ “ସଂଗ୍ରାମ ମହାପାତ୍ରଙ୍କ ଗଳ୍ପ ସମଗ୍ର “ ତେଲୁଗୁ ଭାଷାରେ ରୂପାନ୍ତରିତ ହୋଇ “ ଜୀବନ ସଂଗ୍ରାମମ“ ଭାବେ ଆତ୍ମପ୍ରକାଶ ହୋଇ ଏକ ନୂତନ ଦିଗନ୍ତର ଉଦାହରଣ ସୃଷ୍ଟି କରିଛି ।ସିଦ୍ଧାନ୍ତ ସାହିତ୍ୟ ପରିବାରର ପ୍ରତିଷ୍ଠାତା ସମ୍ପାଦକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରେରଣା ଓ ଦିଗଦର୍ଶନରେ ଆଜିର ଏହି ପୁସ୍ତକ ଲୋକାର୍ପଣ ଉତ୍ସବଟି ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ୍ୟା ଡ଼ଃ ଅନ୍ନପୂର୍ଣ୍ଣା ଦେବୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ରଷ୍ଟା ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଦକ୍ଷିଣ ଓ ଉତ୍ତରାଞ୍ଚଳ ରାଜସ୍ଵ କମିଶନର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ମାନ୍ୟବର ଜିଲ୍ଲାପାଳ , ଗଜପତି ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉଦଘାଟକ ଭାବେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ଼ଃ ଡି.ଏନ . ରାଓ , ମୁଖ୍ୟ ବକ୍ତା ଭାବେ ମୀନକେତନ ଡିଗ୍ରୀ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ଡ଼ଃ ଏନ୍. ଭାନୁଶ୍ରୀ, ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ଶିବରାମକୃଷ୍ଣା ଏବଂ ଅନୁବାଦିକା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ରାୟଗଡ଼ ,ଗଜପତି ଶ୍ରୀମତୀ ବି. କୋମଳାଙ୍ଗୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ସାହିତ୍ୟିକ, ପ୍ରଶାସକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ପୁସ୍ତକଟିର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଜୀବନର ଉତ୍ଥାନ -ପତନ, କର୍ମକ୍ଷେତ୍ରର ଅନୁଭବ, ସଂଘର୍ଷ ଓ ସଫଳତାର ଅନେକ ଅନୁଭବ ପୁସ୍ତକରେ ସ୍ଥାନ ପାଇଥିବାରୁ ଏହା ପାଠକମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ବକ୍ତାମାନେ କହିଥିଲେ ଯେ, ଜଣେ ପ୍ରଶାସକଙ୍କ ଜୀବନର ବ୍ୟକ୍ତିଗତ ଅନୁଭୂତି ଓ ସାମାଜିକ ଦାୟିତ୍ୱବୋଧକୁ ସାହିତ୍ୟ ମାଧ୍ୟମରେ ପାଠକଙ୍କ ନିକଟରେ ପହଞ୍ଚାଇବା ଏହି ପୁସ୍ତକର ବିଶେଷତ୍ୱ। ଅନୁବାଦିତ ସଂସ୍କରଣ ମାଧ୍ୟମରେ ପୁସ୍ତକର ବାର୍ତ୍ତା ପାଠକମହଲରେ ଆଦୃତ ହେବ ବୋଲି ଆଶା ପ୍ରକାଶ ପାଇଥିଲା ପ୍ରାରମ୍ଭରେ ଶ୍ରୀ କରୁଣାନିଧି ପଟ୍ଟନାୟକ ଓ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ବାଦ୍ୟଯନ୍ତ୍ର ସଂଯୋଜନାରେ ଆକାଶବାଣୀ କଣ୍ଠଶିଳ୍ପୀ ଶ୍ରୀମତୀ ବି.କୋମଳାଙ୍ଗୀ ଓ ସୁଶ୍ରୀ ଅର୍ଚ୍ଚନା ରଥ ଉଭୟ ଓଡ଼ିଆ ଓ ତେଲଗୁ ଭାଷାରେ ସଙ୍ଗୀତ ପରିବେଷଣ କରିଥିଲେ। ସେହିପରି ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର ଓ ଶ୍ରୀ ନଟରାଜ କଳା ଅନୁଷ୍ଠାନର ଶିଳ୍ପୀମାନେ ଯଥାକ୍ରମେ ଓଡିଶୀ ଓ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ ଜଣାଇଥିବା ବେଳେ ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ପ୍ରାଣୀ ଚିକିତ୍ସକ, ରାୟଗଡ଼, ଗଜପତିର ଡ଼ଃ ଲୀମା ମହାନ୍ତି ପରିଚାଳନା କରିଥିବା ବେଳେ ଶ୍ରୀ ରାଜେନ୍ଦ୍ର କୁମାର ରଥ ସମସ୍ତ ଅତିଥି ବୃନ୍ଦ,ସମସ୍ତ ଉପସ୍ଥିତ ଜ୍ଞାନୀ ଗୁଣୀ ଦର୍ଶକ ଓସମସ୍ତ ପ୍ରିଣ୍ଟ ଓ ବିଦ୍ୟୁତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ତଥା ଲେଖକ ଶ୍ରୀଯୁକ୍ତ ଘନଶ୍ୟାମ ଜେନାଙ୍କ ରଚିତ ପୁସ୍ତକ ” ପଲ୍ଲୀ ଗୀତିକା ଓ ଚଉତିଶା ମାଳା” (କବିତା ସଙ୍କଳନ) ଓ ସମାଜସେବୀ ଶ୍ରୀ ଲାଜାର ଲିମାଙ୍କ ଲିଖିତ ପୁସ୍ତକ ” ମୁକ୍ତିର ସନ୍ଧାନ” ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।ଉତ୍ସବରେ ପୁସ୍ତକର ଲେଖକ ସଂଗ୍ରାମ ମହାପାତ୍ରଙ୍କୁ ଅତିଥି ଓ ସାହିତ୍ୟ ପ୍ରେମୀମାନେ ଅଭିନନ୍ଦନ ଜଣାଇବା ସହ ତାଙ୍କର ଏହି ସାହିତ୍ୟିକ ପ୍ରୟାସର ପ୍ରଶଂସା କରିଥିଲେ। ଲୋକାର୍ପଣ ଉତ୍ସବଟି ସାହିତ୍ୟ ଓ ପ୍ରଶାସନିକ ଅନୁଭବର ଏକ ସୁନ୍ଦର ସମନ୍ୱୟର ସାକ୍ଷୀ ହୋଇଥିଲା।
