*ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ଼ ଆଶଙ୍କାରେ ଗଜପତିରେ ୩ ଦିନ ପାଇଁ ସମସ୍ତ ଅଙ୍ଗନବାଡ଼ି ଓ ଶିକ୍ଷାନୁଷ୍ଠାନ ବନ୍ଦ ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ଼ର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ, ଶିଶୁ ଓ ସମସ୍ତ ହିତାଧିକାରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଦିନ ପାଇଁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମାଜ ମଙ୍ଗଳ ଉପ ବିଭାଗ ପକ୍ଷରୁ ୨୧ ସେପ୍ଟେମ୍ବର ୨୦୨୬ରେ ଜାରି ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨୨ ସେପ୍ଟେମ୍ବରରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ ଅଙ୍ଗନବାଡ଼ି କର୍ମୀମାନେ ନିଜ ନିଜ ଅଞ୍ଚଳରେ ରହି ଆବଶ୍ୟକ ସେବା ଓ ଜରୁରୀକାଳୀନ କାର୍ଯ୍ୟରେ ସହଯୋଗ କରିବା ସହିତ ତିନି ଦିନ ପାଇଁ ହିତାଧିକାରୀମାନଙ୍କୁ ଘରେ ଘରେ ଶୁଖିଲା ରାସନ ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।ସେହିପରି, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଗଜପତି ପକ୍ଷରୁ ଜାରି ଅଫିସ୍ ଅର୍ଡର ନମ୍ବର ୫୩୩୦ ଅନୁଯାୟୀ, ୨୨ ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଏସଏସଡି ବିଭାଗ ଅଧୀନସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସମସ୍ତ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ।ତେବେ ୨୨ ସେପ୍ଟେମ୍ବରରେ ହେବାକୁ ଥିବା ମେଧାବୃତ୍ତି ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କେନ୍ଦ୍ରରେ ଯୋଜନା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।ପରୀକ୍ଷାର୍ଥୀମାନଙ୍କ ସୁରକ୍ଷିତ ଯାତାୟାତ ଓ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଆବଶ୍ୟକ ସ୍ଥଳେ ଘୂର୍ଣ୍ଣିଝଡ଼ ଆଶ୍ରୟସ୍ଥଳ ଭାବେ ବିଦ୍ୟାଳୟଗୁଡ଼ିକୁ ବ୍ୟବହାର କରାଯିବା ପାଇଁ ସେଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ପ୍ରଧାନଶିକ୍ଷକମାନେ ସ୍ଥାନୀୟ ଶିକ୍ଷକ କିମ୍ବା ମନୋନୀତ ବ୍ୟକ୍ତିଙ୍କୁ ଶ୍ରେଣୀଗୃହର ଚାବି ହସ୍ତାନ୍ତର କରିବେ। ଏଥି ସହ ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷକ ମୋବାଇଲ୍ ଫୋନ୍ ଚାଲୁ ରଖି ଉପଲବ୍ଧ ରହିବା ସହ ଯେ କୌଣସି ଜରୁରୀକାଳୀନ ନିର୍ଦ୍ଦେଶରେ ତୁରନ୍ତ ପ୍ରତିକ୍ରିୟା ଦେବାକୁ କୁହାଯାଇଛି।ପ୍ରବଳ ବର୍ଷା ଓ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପରିସ୍ଥିତିରେ ଜିଲ୍ଲାବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
