ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର: ଜୀବନ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ସାହସୀ ଯୁବକ

ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର: ଜୀବନ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ସାହସୀ ଯୁବକ

ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର: ଜୀବନ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ସାହସୀ ଯୁବକ

ରାୟଗଡ(info media )- ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ପ୍ରବାହିତ ନ‌ଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନଦୀ ପାରାପାର ଏବେ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ କୋଲନରା ବ୍ଲକ ଅନ୍ତର୍ଗତ ଇମାଲିଗୁଡ଼ା ନିକଟରେ ଯାଇଥିବା ନାଗାବଳୀ ନଦୀରେ ଏକ ଟ୍ରାକ୍ଟର ଫସିଯିବା ଯୋଗୁଁ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନଦୀର ପ୍ରବଳ ସ୍ରୋତରେ ଟ୍ରାକ୍ଟର ଡ୍ରାଇଭର ଏବଂ ଜଣେ ନାବାଳକ ଦୀର୍ଘ ସମୟ ଧରି ଫସି ରହିଥିଲେ। ତେବେ ଜଣେ ସ୍ଥାନୀୟ ଯୁବକଙ୍କ ସାହସିକତା କାରଣରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି।ସୂଚନା ଅନୁଯାୟୀ, ଇମାଲିଗୁଡ଼ା ଗ୍ରାମର ପ୍ରକାଶ ପେଦେଣ୍ଟି ନିଜ ଟ୍ରାକ୍ଟର ଯୋଗେ ନାଗାବଳୀ ନଦୀ ପାର ହୋଇ ଆରପଟେ ଥିବା ଚାଷ ଜମିକୁ ଯାଇଥିଲେ। ତାଙ୍କ ସହ ତାଙ୍କର ସମ୍ପର୍କୀୟ ନାବାଳକ ହରି ପେଦେବୀ ମଧ୍ୟ ଥିଲେ। କାମ ସାରି ଫେରିବା ବେଳେ ହଠାତ୍ ନଦୀରେ ପାଣିର ସୁଅ ବଢ଼ିଯାଇଥିଲା। ପାଣିର ବେଗ ଏତେ ଅଧିକ ଥିଲା ଯେ ଟ୍ରାକ୍ଟରଟି ନଦୀ ମଝିରେ ହିଁ ଫସି ଯାଇଥିଲା। ଦୀର୍ଘ ସମୟ ଧରି ଉଭୟ ଟ୍ରାକ୍ଟର ଉପରେ ଅଟକି ରହିଥିଲେଏବଂ ପ୍ରବଳ ଚଳ ସ୍ରୋତ ଯୋଗୁଁ କୌଣସି ଲୋକ ନଦୀ ଭିତରକୁ ଯିବାକୁ ସାହସ ଜୁଟାଇ ପାରିନଥିଲେ। ତେବେ ଏହି ସମୟରେ ଗାଁର ଜଣେ ସାହସୀ ଯୁବକ ନିଜ ଜୀବନକୁ ବାଜି ଲଗାଇ ନଦୀର ଭୟଙ୍କର ସ୍ରୋତ ଭିତରକୁ ପଶିଥିଲେ ଏବଂ ଉଭୟ ଡ୍ରାଇଭର ଓ ନାବାଳକଙ୍କୁ କୂଳକୁ ଆଣିବାରେ ସଫଳ ହୋଇଥିଲେ।ସୂଚନାଯୋଗ୍ୟ ଯେ, ଇମାଲିଗୁଡ଼ା ନିକଟରେ ଥିବା ନାଗାବଳୀ ନଦୀର ଆରପାର୍ଶ୍ଵରେ ପ୍ରାୟ ୧୦ଟି ଗାଁର ଚାଷ ଜମି ରହିଛି। ଦୈନନ୍ଦିନ କୃଷି କାର୍ଯ୍ୟ ଏବଂ ଅନ୍ୟାନ୍ୟ କାମ ପାଇଁ ଲୋକଙ୍କୁ ବାଧ୍ୟ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ନଦୀ ପାର ହେବାକୁ ପଡୁଛି। ତେଣୁ ଏହି ସ୍ଥାନରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଗଲେ ହଜାର ହଜାର ଚାଷୀ ଓ ଗ୍ରାମବାସୀ ଉପକୃତ ହେବା ସହ ଏଭଳି ଜୀବନହାନିର ଆଶଙ୍କାକୁ ଏଡ଼ାଯାଇପାରିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ