ଡବଲ ଇଞ୍ଜିନ ସରକାର ରେ ୩ ମାସ ହେଲା ଭତା ପାଇବାରୁ ବଂଚିତ ହିତାଧିକାରୀ, ଜିଲ୍ଳାପାଳଙ୍କ ଦ୍ୱାରସ୍ଥ
ଏନପିସିଆଇ ଲିଙ୍କ ନ ହେବା ମୂଳ କାରଣ : ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ
ରାୟଗଡ଼ ( info media): ରାୟଗଡ ଜିଲ୍ଳାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ରେ ମିଳୁଥିବା ଥିବା ବୟସ୍କ ଭତା,ବିଧବା ଭତା,ଦିବ୍ୟାଙ୍ଗ ଭତା ପାଉଥିବା ହିତାଧିକାରୀମାନେ ଗତ ୩ ମାସ ହେଲା ଭତା ପାଇବାରୁ ବଂଚିତ ଥିବାରୁ ତୁରନ୍ତ ଭତା ପ୍ରଦାନ ଦାବି କରି ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଳାପାଳ ନବୀନ ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପାଇବା ପରେ ଏହାର ସମାଧାନ ପାଇଁ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ । ଏହି ଦାବିପତ୍ରରେ ଉଲ୍ଳେଖ ରହିଛି ଯେ,ରାୟଗଡ ଜିଲ୍ଳା ସଦର ବ୍ଳକ ‘ଗ’ଜୋନରେ ଥିବା ଶତାଧିକ ବୟସ୍କ,ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ଠାରୁ ପ୍ରତିମାସରେ ଭତା ପାଇ ଆସୁଥିଲେ । କିନ୍ତୁ ଗତ ଏପ୍ରିଲ ମାସରୁ ଜୁନ ପର୍ଯ୍ୟନ୍ତ ୩ ମାସ ଧରି କୈାଣସି କାରଣରୁ ସେମାନେ ଏହି ଭତା ପାଇବାରୁ ବଂଚିତ ହୋଇଛନ୍ତି । ଭତା କେବେ ମିଳିବ କୈାଣସି ସୂଚନା ନ ପାଇ ହିତାଧିକାରୀମାନେ ବାରମ୍ବାର ବ୍ୟାଙ୍କ ,ପଂଚାୟତ କାର୍ଯ୍ୟାଳୟ ଧାଇଁ ଧାଇଁ ନିରାଶ ହୋଇ ଫେରୁଛନ୍ତି । ଅନେକ ହିତାଧିକାରୀ ଏହି ଭତା ଉପରେ ନିର୍ଭର କରି ନିଜ ସ୍ୱାସ୍ଥ୍ୟଗତ ସମସ୍ୟାରେ ଉପଚାର ମିଳୁଥିବା ଔଷଧ କିଣୁଥିବା ବେଳେ ୩ମାସ ଧରି ଭତା ନ ମିଳିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଉଲ୍ଳେଖ କରାଯାଇଛି । ତେବେ ଏ ନେଇ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ହିତାଧିକାରୀମାନଙ୍କୁ ଏନପିସିଆଇ ଲିଙ୍କ ହୋଇ ନ ଥିବାରୁ ଅଧିକାଂଶ ହିତାଧିକାରୀ ଭତା ପାଇବାରୁ ବଂଚିତ ହେଉଛନ୍ତି ବୋଲି କହିଛନ୍ତି । ଏ ନେଇ ବିଭିନ୍ନ ପଂଚାୟତସ୍ତରରେ ଆଧାର ଶିବିର କରାଯାଇ ଏନପିସିଆଇ ଲିଙ୍କ କରାଯାଉ ଥିବା ବେଳେ ହିତାଧିକାରୀମାନେ ରାୟଗଡ ବ୍ଳକ କାର୍ଯ୍ୟାଳୟରେ ଏହି ଲିଙ୍କ କରି ନେବାକୁ ସେ ଅନୁରୋଧ କରିଥିବା ବେଳେ ଲିଙ୍କ ହେବା ପରେ ତୁରନ୍ତ ସେମାନଙ୍କ ବ୍ୟାଙ୍କ ଖାତାକୁ ଭତା ଟଙ୍କା ଚାଲି ଆସିବ ବୋଲି କହିଥିଲେ । ଅଭିଯୋଗ ଶୁଣାଣୀକୁ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇ ସାଥିରେ ଆସିଥିବା ରାୟଗଡ ଜିଲ୍ଳା ବିଜେଡି କାର୍ଯ୍ୟକାରୀ ସଭାପତି ପି.ଗୈାରୀ ଶଙ୍କର ରାଓ ଡବଲ ଇଂଜନ ସରକାରରେ ଡବଲ ଭତା ମିଳିବ ବୋଲି ହିତାଧିକାରୀମାନେ ଆଶା ରଖିଥିବା ବେଳେ ମାସକୁ ମାସ ଭତା ନ ମିଳିବା କେନ୍ଦ୍ର ସରକାରଙ୍କ ଏନଏସଏପି ଯୋଜନା ଉପରେ ପ୍ରଶ୍ନ ସୃଷ୍ଟି କରୁଛି ବୋଲି କହିଛନ୍ତି । ରାୟଗଡ ଜିଲ୍ଳାରେ ଏନଏସଏପି ଯୋଜନା ଅଧିନରେ ବୟସ୍କ ଭତା ୪୮୧୮୪ଜଣ,ବିଧବା ଭତା ୨୩୮୮୦ଜଣ ଏବଂ ଦିବ୍ୟାଙ୍ଗ ଭତା ୧୩୪୦ଜଣ ମୋଟ ୭୩,୪୦୪ଜଣ ହିତାଧିକାରୀ ଭତା ପାଉଛନ୍ତି ।
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
