କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାରେ ଧୁମଧାମରେ ପାଳିତ ହେଲା ‘ନୂଆଖାଇ ଭେଟଘାଟ–୨୦୨୬’- ନୂଆଖାଇ ଆମ ମାଟି, କୃଷିକୈନ୍ଦ୍ରିକ ଜୀବନଶୈଳୀ ଏବଂ ଲୋକକଳାର ଆତ୍ମା ସହ ଜଡ଼ିତ: ସାଂସଦ ପ୍ରଦୀପ ପୁରୋହିତ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାରେ ଧୁମଧାମରେ ପାଳିତ ହେଲା ‘ନୂଆଖାଇ ଭେଟଘାଟ–୨୦୨୬’- ନୂଆଖାଇ ଆମ ମାଟି, କୃଷିକୈନ୍ଦ୍ରିକ ଜୀବନଶୈଳୀ ଏବଂ ଲୋକକଳାର ଆତ୍ମା ସହ ଜଡ଼ିତ: ସାଂସଦ ପ୍ରଦୀପ ପୁରୋହିତ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାରେ ଧୁମଧାମରେ ପାଳିତ ହେଲା ‘ନୂଆଖାଇ ଭେଟଘାଟ–୨୦୨୬’- ନୂଆଖାଇ ଆମ ମାଟି, କୃଷିକୈନ୍ଦ୍ରିକ ଜୀବନଶୈଳୀ ଏବଂ ଲୋକକଳାର ଆତ୍ମା ସହ ଜଡ଼ିତ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୧।୧୦(ଭବାନୀ ଶଙ୍କର ପାଢ଼ୀ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣା ପରିସରରେ ‘ସିୟୁଏଚ୍ ଓଡ଼ିଆ ପରିବାର’ର ସାମୂହିକ ପ୍ରୟାସରେ ଆଞ୍ଚଳିକ ଐତିହ୍ୟ ତଥା ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ନେଇ ‘ନୂଆଖାଇ ଭେଟଘାଟ–୨୦୨୬’ ଅତ୍ୟନ୍ତ ଧୁମଧାମରେ ସମ୍ପନ୍ନ ହୋଇ ଯାଇଛି। ସମାରୋହରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ରୂପେ ଏବଂ ଭିୱାନୀ–ମହେନ୍ଦ୍ରଗଡ଼ ସାଂସଦ ଶ୍ରୀ ଧର୍ମବୀର ସିଂହ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର କୁଳପତି ପ୍ରଫେସର ଟଙ୍କେଶ୍ୱର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂଆଖାଇର ସାଂସ୍କୃତିକ ଓ ସାମାଜିକ ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଉତ୍କଳ ମାଟିଠାରୁ ୧୪୦୦ କିଲୋମିଟରରୁ ଅଧିକ ଦୂରତାରେ ପ୍ରବାସ ଜୀବନ ବିତାଉଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ସଦସ୍ୟମାନଙ୍କ ପାଇଁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଓଡ଼ିଆ ପରିବାରକୁ ବିଶେଷ ଭାବରେ ଉତ୍ସାହିତ କରିଥିଲେ। ନୂଆଖାଇ ଆମ ମାଟି, କୃଷି କୈନ୍ଦ୍ରିକ ଜୀବନଶୈଳୀ ଏବଂ ଲୋକକଳାର ଆତ୍ମା ସହ ଜଡ଼ିତ ବୋଲି ପ୍ରକାଶ କରି ସାଂସଦ ଶ୍ରୀ ପୁରୋହିତ କହିଥିଲେ ଯେ, ଏହା ଦୂରଦେଶରେ ଅବସ୍ଥାନ କରୁଥିବା ଆମ ଓଡ଼ିଆ ଭାଇଭଉଣୀଙ୍କୁ ସ୍ୱଦେଶ ସହ ବାନ୍ଧି ରଖିଥାଏ। ଏହି ମନୋଜ୍ଞ ଆୟୋଜନ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ପରିବାରର ଶିକ୍ଷକ, ଗବେଷକ ତଥା ଛାତ୍ରଛାତ୍ରୀବୃନ୍ଦ ଏକତ୍ର ହୋଇ ମାତୃଭାଷାର ପ୍ରେମ, ସାଂସ୍କୃତିକ ଅସ୍ମିତା ଏବଂ ଆଞ୍ଚଳିକ ଐତିହ୍ୟକୁ ସମ୍ମାନ ଜଣାଇବାର ଏକ ଅନନ୍ୟ ଅବସର ପାଇଥିଲେ।କାର୍ଯ୍ୟକ୍ରମର ଶୁଭାରମ୍ଭ ପାରମ୍ପରିକ ସ୍ୱାଗତ, ଦୀପ ପ୍ରଜ୍ୱଳନ ଓ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସହ ହୋଇଥିଲା। ଅତିଥି ପରିଚୟ ଓ ନୂଆଖାଇ ପର୍ବର ମହତ୍ତ୍ୱ ସମ୍ପର୍କରେ ଆଲୋଚନା ପରେ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ଏକ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ ହୋଇଥିଲା। ଏହାପରେ ଓଡ଼ିଶୀ ନୃତ୍ୟ, ଡ଼ାଲଖାଇ ଗଣନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସଙ୍ଗୀତ ଓ କବିତା, ନାଟକ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଶେଷକରି ରଙ୍ଗବତୀ ଗୀତର ପରିବେଷଣ ଓ ପାରମ୍ପରିକ ଲୋକନୃତ୍ୟ ଉତ୍ସବରେ ନୂଆ ଉତ୍ସାହ ସୃଷ୍ଟି କରିଥିଲା।ଏହି ଆୟୋଜନ କେବଳ ଏକ ସାଂସ୍କୃତିକ ସମାରୋହ ନଥିଲା; ବରଂ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କ ମଧ୍ୟରେ ଆଞ୍ଚଳିକ ସଂସ୍କୃତି ପ୍ରତି ସମ୍ମାନ, ଜାତୀୟ ଏକତା ଓ ସାମାଜିକ ସଦ୍‌ଭାବ ବୃଦ୍ଧି କରିବାର ଏକ ପ୍ରୟାସ ଥିଲା। ନୂଆଖାଇର ‘ନୂଆ ଅନ୍ନକୁ ସମ୍ମାନ, ମାଟି ପ୍ରତି କୃତଜ୍ଞତା ଓ ସମସ୍ତଙ୍କସହ ଆନନ୍ଦ ବାଣ୍ଟିବା’ର ମୂଳ ଭାବନା ଏହି ଆୟୋଜନରେ ପ୍ରତିଫଳିତ ହୋଇଥିଲା।ବିଶ୍ୱବିଦ୍ୟାଳୟର ଡେପୁଟି ଡିନ୍ ଷ୍ଟୁଡେଣ୍ଟ୍ସ ୱେଲଫେୟାର (ଡିଏସଡବ୍ଲ୍ୟୁ)ଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ପ୍ରାଧ୍ୟାପକ ତଥା ସଂଯୋଜକ ପ୍ରଫେସର ତୀର୍ଥରାଜ ଭୋଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସହ-ସଂଯୋଜକ ଡ. ଅଲେଖ ସଚ୍ଚିଦାନନ୍ଦ ନାୟକ, ପ୍ରଫେସର ରଞ୍ଜନ ସାହୁ ଏବଂ ଗବେଷକ ନାରାୟଣ ଚୌଧୁରୀ, ମନସରଞ୍ଜନ ବିଶି, ଜିତେନ୍ଦ୍ର ବିଶ୍ୱାଳ, ଅରୁଣ ଦେହୁରୀ, ଠାକୁର ମାଝୀ ଓ ଅଭିଷେକ ସାହୁଙ୍କ ସମେତ ସମସ୍ତ ଓଡ଼ିଆ ପରିବାରର ସଦସ୍ୟ ଏବଂ ସ୍ୱେଚ୍ଛାସେବୀଙ୍କ ସାମୂହିକ ପ୍ରୟାସରେ ଉତ୍ସବଟି ସଫଳ ହୋଇଥିଲା।ଶିକ୍ଷାନୁଷ୍ଠାନର ପରିସରରେ ନିଜ ରାଜ୍ୟର ପର୍ବକୁ ଏପରି ଉତ୍ସାହର ସହ ପାଳନ କରିବା ଦ୍ୱାରା ନୂତନ ପିଢ଼ି ନିଜ ସାଂସ୍କୃତିକ ମୂଳ ସହ ଯୋଡ଼ି ହେବା ସହ ଭାରତର ବିବିଧତା ମଧ୍ୟରେ ଏକତାର ମହତ୍ତ୍ୱକୁ ଅନୁଭବ କରିପାରିବେ। ଶେଷରେ ସମସ୍ତ ଅତିଥି, ବିଶ୍ୱବିଦ୍ୟାଳୟ ପ୍ରଶାସନ, ଅଂଶଗ୍ରହଣକାରୀ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇବା ସହ ନୂଆଖାଇର ଭାଇଚାରା, ସମ୍ପ୍ରୀତି ଓ ସାଂସ୍କୃତିକ ଗୌରବର ବାର୍ତ୍ତା ଦିଆଯାଇଥିଲା।