ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟ, ଟିକାବାଲିର ୩୮ତମ ପ୍ରତିଷ୍ଠା ଉତ୍ସବ ପାଳିତ….(ଶିକ୍ଷା ଓ ସଂସ୍କାରର ସମନ୍ୱୟରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ)
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟ, ଟିକାବାଲିର ୩୮ତମ ପ୍ରତିଷ୍ଠା ଉତ୍ସବ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହାପରେ ଶ୍ରୀ ବନମାଳୀ ବେହେରା , ବରିଷ୍ଠ ଅଧ୍ୟାପକ , ରାଜନୀତି ବିଭାଗ , ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସ୍ମୃତି ଫଳକ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପାଣ୍ଡିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥି ଯୋଗଦେଇ ଶିକ୍ଷାନୁଷ୍ଠାନର ଗୌରବମୟ ଯାତ୍ରା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିବେକାନନ୍ଦ ସ୍ୱାଇଁ , ଉପଖଣ୍ଡ ଆରକ୍ଷୀ ଅଧିକାରୀ , ମୁଖ୍ୟବକ୍ତା ଶ୍ରୀ ସମୁଦ୍ର ମିଶ୍ର , ତହସିଲଦାର , ଜି. ଉଦୟଗିରି ଓ ସମ୍ମାନିତ ଅତିଥି ଶ୍ରୀ ଶିବରଞ୍ଜନ ସାଙ୍ଗା , ଟିକାବାଲି ଥାନା ଭାରପ୍ରାପ୍ତ ଅଧିକାରୀ , ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, କେବଳ ପାଠ୍ୟପୁସ୍ତକ ଜ୍ଞାନ ହାସଲ କରିବା ଶିକ୍ଷାର ଏକମାତ୍ର ଲକ୍ଷ୍ୟ ନୁହେଁ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକତା, ମାନବିକତା, ଶୃଙ୍ଖଳା, ସାମାଜିକ ଦାୟିତ୍ୱବୋଧ ଓ ଦେଶପ୍ରେମର ଭାବନା ବିକଶିତ କରିବା ମଧ୍ୟ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ। ଏକ ଉତ୍ତମ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ସହିତ ଭଲ ମଣିଷ ହେବାର ପଥ ଦେଖାଇଥାଏ। ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟ ଦୀର୍ଘ ୩୮ ବର୍ଷ ଧରି ଏହି ଦାୟିତ୍ୱକୁ ସଫଳତାର ସହିତ ତୁଲାଇ ଆସୁଥିବାରୁ ଅତିଥିମାନେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ।ପ୍ରତିଷ୍ଠା ଉତ୍ସବ ଅବସରରେ ଅତିଥିମାନଙ୍କ ଦ୍ଵାରା ଏକ ପ୍ରାଚୀରପତ୍ର “ସଜଫୁଲ” ଉନ୍ମୋଚିତ ହୋଇଥିଲା । ମହାବିଦ୍ୟାଳୟର ଅତୀତ ଯାତ୍ରା ଓ ବିକାଶ ସମ୍ପର୍କରେ ଶ୍ରୀ ମନୋଜ କୁମାର ଭୋଇ, କାର୍ଯ୍ୟାଳୟ ପ୍ରମୁଖଙ୍କ ଦ୍ଵାରା ରଚିତ କବିତା ” ହେ ଜ୍ଞାନବିହାର ” ପଠନ କରିଥିଲେ ।୩୮ ବର୍ଷର ଏହି ଯାତ୍ରା ମଧ୍ୟରେ ମହାବିଦ୍ୟାଳୟ ଅଞ୍ଚଳର ଶିକ୍ଷା, ସାମାଜିକ ଓ ସାଂସ୍କୃତିକ ବିକାଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିପାରିଛି। ଏହି ଅନୁଷ୍ଠାନରୁ ଶିକ୍ଷାଲାଭ କରି ବହୁ ଛାତ୍ରଛାତ୍ରୀ ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ମହାବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ଶିକ୍ଷା, କ୍ରୀଡ଼ା, ସାହିତ୍ୟ, ସଂସ୍କୃତି, ପ୍ରଶାସନ ଓ ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ ପୁରାତନ ଛାତ୍ରଛାତ୍ରୀଙ୍କ ସଫଳତା ଅନୁଷ୍ଠାନ ପାଇଁ ଗର୍ବର ବିଷୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମୟରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଓ ପ୍ରତିଭାକୁ ଚିହ୍ନଟ କରି ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହ ତାହା ପୂରଣ ପାଇଁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ ବୋଲି ସେମାନେ କହିଥିଲେ। ପ୍ରତିଷ୍ଠା ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଏକ ଶିକ୍ଷାନୁଷ୍ଠାନର ଅତୀତକୁ ସ୍ମରଣ କରି ଭବିଷ୍ୟତ ପାଇଁ ନୂତନ ସଙ୍କଳ୍ପ ନେବାର ଅବସର ବୋଲି ମତ ପ୍ରକାଶ ପାଇଥିଲା।ପ୍ରତିଷ୍ଠା ଉତ୍ସବରେ ୨୦୨୬ ମସିହାର ଯୁକ୍ତ ଦୁଇ, ଯୁକ୍ତ ତିନି , ସ୍ନାତକୋତ୍ତର ମେଧାବୀ ଛାତ୍ରଛାତ୍ରୀ ଓ ଉତକର୍ଷତା ଲାଭ କରିଥିବା ପୂର୍ବତନ ଛାତ୍ରୀ ଯମୁନା ପ୍ରଧାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ପୁରସ୍କାର ପାଇଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ। ପୁରସ୍କୃତ ଛାତ୍ରଛାତ୍ରୀମାନେ ନିଜର ପୁରୁଣା ଦିନର ସ୍ମୃତି ରୋମନ୍ଥନ କରିଥିଲେ। ମହାବିଦ୍ୟାଳୟ ସହିତ ଜଡ଼ିତ ନିଜ ଅନୁଭୂତି ବାଣ୍ଟିବା ସହ ଅନୁଷ୍ଠାନର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଜାରି ରହିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ମହାବିଦ୍ୟାଳୟର ପୁରାତନ ଓ ବର୍ତ୍ତମାନର ପିଢ଼ି ମଧ୍ୟରେ ଏହି ମିଳନ ଉତ୍ସବକୁ ଆହୁରି ଭାବପ୍ରବଣ କରିଥିଲା।ମହାବିଦ୍ୟାଳୟର ଅଧ୍ୟାପକ, ଶ୍ରୀ ଵିଷ୍ଣୁ ପ୍ରସାଦ ରଥ , ଶ୍ରୀ ଅମୁଲ୍ୟ କୁମାର ସାବତ , ସନ୍ତୋଷ କୁମାର ରଥ , ବିରୂପାକ୍ଷ ମିଶ୍ର , ଶ୍ରୀ ରମେଶ କୁମାର ସାହୁ , ଶଙ୍କର ପାଢ଼ୀ,ଅଭୟ ପ୍ରଧାନ,ଅଧ୍ୟାପିକା ସଂଘମିତ୍ରା ଦାସ, ନିବେଦିତା ଭୋଇ , ଚମ୍ପା ସୋରେନ, ଶିବାନି କହଁର, କର୍ମଚାରୀ ଶ୍ରୀ ଦୀପକ କୁମାର ସାହୁ , ଅଜିତ କୁମାର ଦିଗାଲ , ଧର୍ମଚାନ୍ଦ ନାୟକ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ସମ୍ମିଳିତ ପ୍ରୟାସରେ ୩୮ତମ ପ୍ରତିଷ୍ଠା ଉତ୍ସବ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ଶ୍ରୀମତୀ ନିବେଦିତା ଭୋଇଙ୍କ ପରିଚାଳନାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ସଙ୍ଗୀତ, ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି ଅତିଥି ଓ ଦର୍ଶକ ବୃନ୍ଦ ଅଭିଭୂତ ହୋଇଥିଲେ। ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ବିରୂପାକ୍ଷ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
