**ଉପଯୁକ୍ତ ପାରିଶ୍ରମିକ ଦାବିରେ ଗଜପତିରେ ‘ଗ୍ରାମ ସାଥୀ’ଙ୍କ ବିକ୍ଷୋଭ, ମାସିକ ୧୫ ହଜାର ଟଙ୍କା ଦରମା ଓ ସ୍ଥାୟୀ ନିଯୁକ୍ତି ଦାବି ।ଗଜପତି,୧୧.୯(ମନୋଜ ପାଢ଼ୀ:-ଉପଯୁକ୍ତ ପାରିଶ୍ରମିକ, ସ୍ଥାୟୀ ସରକାରୀ ଚାକିରିର ମାନ୍ୟତା ଓ ସାମାଜିକ ସୁରକ୍ଷା ଦାବିରେ ଗଜପତି ଜିଲ୍ଲାରେ ‘ଗ୍ରାମ ସାଥୀ’ ସଂଘ ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ବିକ୍ଷୋଭକାରୀମାନେ ମାସିକ ୧୫,୦୦୦ ଟଙ୍କା ଦରମା ପ୍ରଦାନ ସହ ସେମାନଙ୍କୁ ସ୍ଥାୟୀ ସରକାରୀ ଚାକିରିର ମାନ୍ୟତା ଦେବା ଏବଂ ପରିବାର ପାଇଁ ଉପଯୁକ୍ତ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଦୀର୍ଘ ବର୍ଷ ଧରି ମନରେଗା ଯୋଜନାରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ନିୟମିତ ଦରମା, ମୌଳିକ ଭତ୍ତା ଓ ଉପଯୁକ୍ତ ସ୍ୱୀକୃତି ମିଳୁନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ଅଭିଯୋଗ କରାଯାଇଛି।ସଂଘ ପକ୍ଷରୁ କୁହାଯାଇଛି ଯେ, ଗ୍ରାମ ସାଥୀମାନେ ମନରେଗା ଯୋଜନାର ବିଭିନ୍ନ କ୍ଷେତ୍ରସ୍ତରୀୟ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି। ତଥାପି ସେମାନଙ୍କୁ ଆବଶ୍ୟକ ସୁବିଧା ଓ ଭତ୍ତାରୁ ବଞ୍ଚିତ କରାଯାଉଛି। ଭାରତୀୟ ମଜଦୂର ସଂଘର ପ୍ରତିନିଧିମାନେ ୨୦୦୫ ମସିହାରୁ ମନରେଗା ଯୋଜନାରେ ଗ୍ରାମ ସାଥୀମାନଙ୍କ ନିଷ୍ଠାପର ଅବଦାନକୁ ଉଲ୍ଲେଖ କରି ଦୀର୍ଘଦିନର ଦାବିଗୁଡ଼ିକ ତୁରନ୍ତ ପୂରଣ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି।ଏଥିସହ ‘ସମାନ କାମକୁ ସମାନ ଦରମା’ ନୀତି ଲାଗୁ କରିବା ସହ ଗତ ଦୁଇ ବର୍ଷର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି।ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଆଗାମୀ ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ସେମାନଙ୍କ ଦାବିଗୁଡ଼ିକର ସମାଧାନ ନ ହେଲେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଚଳିତ ମାସ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୭,୦୦୦ କର୍ମଚାରୀଙ୍କୁ ନେଇ ବିଶାଳ ଶୋଭାଯାତ୍ରା କରାଯିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି।ଗ୍ରାମ ସାଥୀମାନଙ୍କ ଦୀର୍ଘଦିନର ସମସ୍ୟା ଓ ଦାବିଗୁଡ଼ିକ ପ୍ରତି ସରକାର ଗୁରୁତ୍ୱ ଦେଇ ଶୀଘ୍ର ସମାଧାନ କରିବାକୁ ଆନ୍ଦୋଳନକାରୀମାନେ ଦାବି ଜଣାଇଛନ୍ତି।
ଉପଯୁକ୍ତ ପାରିଶ୍ରମିକ ଦାବିରେ ଗଜପତିରେ ‘ଗ୍ରାମ ସାଥୀ’ଙ୍କ ବିକ୍ଷୋଭ, ମାସିକ ୧୫ ହଜାର ଟଙ୍କା ଦରମା ଓ ସ୍ଥାୟୀ ନିଯୁକ୍ତି ଦାବିl
