କେନ୍ଦୁଝର DMF ଅନିୟମିତତା ମାମଲା: ରାଜ୍ୟକୁ ୪ ସପ୍ତାହ ମହଲତ, ଅକ୍ଟୋବର ୨୨ରେ ପରବର୍ତ୍ତୀ ଶୁଣାଣି
କଟକ: କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି (DMF) ଅନିୟମିତତା ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଅଧିକ ସମୟ ଚାହିଲା। ହାଇକୋର୍ଟରେ ଆଜି ରାଜ୍ୟ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି (SLC) ଗଠନ କରାଯାଇଛି।ସୂଚନା ମିଳିଛି, ୧୨ଟି ବିଭାଗ ମଧ୍ୟରୁ ୬ଟି ବିଭାଗ ପ୍ରଥମେ ରିପୋର୍ଟ ଦାଖଲ କରିସାରିଛି। ଅବଶିଷ୍ଟ ବିଭାଗମାନଙ୍କରୁ ରିପୋର୍ଟ ଆସିଲେ, SLC ପକ୍ଷରୁ ଏକ ସମଗ୍ରିକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯିବ।ରାଜ୍ୟ ସରକାର ପକ୍ଷରୁ ଏହି କାରଣରୁ ୪ ସପ୍ତାହ ମହଲତ ଚାହିଲା। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ M.S. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ମଞ୍ଜୁର କରି ଅକ୍ଟୋବର ୨୨ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।ଏହି ମାମଲା ୨୦୨୪ରେ ହାଇକୋର୍ଟରେ ଦାୟର ହୋଇଥିଲା। ଆବେଦକଙ୍କ ଅଭିଯୋଗ ଅନୁସାରେ, କେନ୍ଦୁଝର DMF ରାଶି ଖର୍ଚ୍ଚ ବେଳେ Mines and Minerals Development and Regulation (MMDR) Act, 1957 ଓ 2015 ନିୟମାବଳୀର ବ୍ୟାପକ ଉଲ୍ଲଂଘନ ହୋଇଛି।ହାଇକୋର୍ଟ ପୂର୍ବରୁ SLC କୁ ଏହି ଅଭିଯୋଗର ଯାଞ୍ଚ କରିବା ଓ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା।
