ପ୍ରସ୍ତାବିତ ନେରାଡ଼ି ପ୍ରକଳ୍ପର ତିନି ଦିନିଆ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରର ମିଳିତ ସର୍ଭେ ସମାପିତନଦୀ ଉପକୂଳବର୍ତ୍ତୀ ସ୍ଥାନର ୩ଟି ପଏଣ୍ଟ ଚିହ୍ନଟ ।
ଗଜପତି,୨୮/୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ବଂଶଧାରା ନଦୀରେ ପ୍ରସ୍ତାବିତ ନେରାଡ଼ି ବ୍ୟାରେଜ୍କୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ଆନ୍ତଃରାଜ୍ୟ ବିବାଦ ସମାଧାନ ପାଇଁ ସର୍ଭେ କାର୍ଯ୍ୟକୁ ଗୁରୁତ୍ୱାରୋପ କରାଯାଇଛି। ଟ୍ରିବ୍ୟୁନାଲଙ୍କ ରାୟ ଏବଂ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପରେ ପ୍ରକଳ୍ପର ବାସ୍ତବ ସ୍ଥିତି, ନଦୀର ଭୌଗୋଳିକ ଅବସ୍ଥା ଓ ଓଡ଼ିଶା ପାର୍ଶ୍ଵରେ ଆବଶ୍ୟକ ଜମିର ସ୍ଥିତି ଅନୁଧ୍ୟାନ ପାଇଁ ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରର ମିଳିତ ସର୍ଭେ ଆଜି ଶନିବାର ଅପରାହ୍ନରେ ସମାପନ ହୋଇଛି।ଗଜପତି କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ପୁରୁଟିଗୁଡା ଗ୍ରାମ ଠାରୁ ଆରମ୍ଭ କରି ରାୟଗଡ଼ା ଜିଲ୍ଲାର ଗୁଣୁପୁର ସହର ଠାରୁ କିଛି ଦୂର ପର୍ଯ୍ୟନ୍ତ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମିଳିତ ସର୍ଭେ କରାଯାଇଛି। ଏହି ସର୍ଭେରେ କେନ୍ଦ୍ର ପକ୍ଷରୁ ୫ ଜଣିଆ ଟିମ୍, ଓଡ଼ିଶା ପକ୍ଷରୁ ୩ ଜଣିଆ ଟିମ୍ ଏବଂ ଆନ୍ଧ୍ର ପ୍ରଦେଶ ପକ୍ଷରୁ ୩ ଜଣିଆ ଟିମ୍ ସାମିଲ ହୋଇଥିଲେ।ଡିଜିପିଏସ୍ (ଡିଫରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପ୍ରଯୁକ୍ତିରେ ନଦୀ ଉପକୂଳବର୍ତ୍ତୀ ବିଭିନ୍ନ ସ୍ଥାନର ମାପଚୁପ ୮ଟି ପଏଣ୍ଟ ଚିହ୍ନଟ କରାଯାଇଥିଲା।
